ମନମୋହନଙ୍କ ପାଇଁ କ’ଣ ରହିବ ଆହ୍ବାନ

ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି।ଗତ ନିର୍ବାଚନରେ ବିଜେପିର ସଫଳତା, ମେଣ୍ଟକୁ ଦୃଢ଼ ବିରୋଧ ଓ ଦଳ ବିରୋଧରେ ଗ୍ରହଣୀୟତା ସହିତ ସରକାରଙ୍କ ସହ ଉତ୍ତମ ସମନ୍ୱୟ ପାଇଁ ମନମୋହନଙ୍କୁ ଦଳ ରିପିଟ୍‌ କରିଛି ବୋଲି କୁହାଯାଉଛି । ତୃଣମୂଳସ୍ତରର ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ । ମନମୋହନଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତା ରହିଛି । ସେ ପ୍ରଥମେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଛାତ୍ର ନେତା ଭାବେ ରାଜନୀତିରେ ପାଦ ଦେଇଥିଲେ । ୧୯୭୯ ମସିହାରେ ସେ ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିଲେ । ୧୯୭୯ରୁ ୧୯୮୧ ମସିହା ଯାଏ ଏବିଭିପିର ରାଜ୍ୟ ସମ୍ପାଦକ ଥିଲେ । ୧୯୮୧ରୁ ୧୯୮୨ ମସିହା ଯାଏ ଏବିଭିପିର ରାଜ୍ୟ ଉପସଭାପତି ଦାୟିତ୍ୱରେ ରହିଥିଲେ । ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀର ସଭାପତି ରହିଥିଲେ । ୧୯୯୦ରୁ ୧୯୯୨ ମସିହା ଯାଏ ବିଜେପି ରାଜ୍ୟ ସମ୍ପାଦକ ରହିଲେ ।

୧୯୯୨ରୁ ୧୯୯୯ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଥିଲେ । ୧୯୯୯ରୁ ୨୦୦୪ ମସିହା ଯାଏ ରାଜ୍ୟ ବିଜେପି ସଭାପତି ଭାବେ ଗୁରୁ ଦାୟିତ୍ୱ ସମ୍ଭାଳିଥିଲେ । ସଭାପତି ଥିବା ସମୟରେ ରାଜ୍ୟରେ ବିଜେଡି ସହ ବିଜେପି ମେଣ୍ଟ ସରକାରରେ ସାମିଲ ହୋଇଥିଲା । ୨୦୦୦ ମସିହାରେ ମନମୋହନ ରାଜ୍ୟସଭାକୁ ଯାଇଥିଲେ । ୨୦୦୪ରେ ସେ ଧାମନଗର ଆସନରୁ ଜିତିବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ । ସେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଭଳି ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୧୦ରୁ ୨୦୧୨ ଯାଏ ସେ ପୁଣି ଥରେ ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନର ପୂର୍ବରୁ ୨୦୨୩ରେ ଦଳ ତାଙ୍କୁ ପୁଣି ଥରେ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ଦେଇଥିଲା । ନୂଆ ସଭାପତି ଦାୟିତ୍ବ ଗ୍ରହଣ କରିବା ସହ ମନମୋହନଙ୍କ ଆଗରେ ଏବେ ଅନେକ ଆହ୍ୱାନ। ସଂଗଠନ ସଜାଡ଼ିବା, ସରକାର ଓ ଦଳ ମଧ୍ୟରେ ସମନ୍ୱୟ ରଖିବା, ନିଗମ ଓ ବୋର୍ଡ ନେତା ଓ କର୍ମୀଙ୍କୁ ଥଇଥାନ କରିବା ମନମୋହନଙ୍କ ପାଇଁ ବଡ ଆହ୍ୱାନ ରହିବ। ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଦଳ ଓ ସରକାର ଆଗକୁ ବଢ଼ିବା ସହ ୨୦୩୬ ବିକଶିତ ଓଡିଶା ଗଠନ ପାଇଁ ମୂଳଦୁଆ ପକାଇବେ ବୋଲି ନେତାମାନେ ଆଶା ରଖିଛନ୍ତି।

ଅଧିକ ପଢନ୍ତୁ

kc ads