ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଥିବା ସିରିଡି-ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣାର ଏକ ସିସିଟିଭି ଫୁଟେଜ ଆଗକୁ ଆସିଛି । କଥାରେ ଅଛି….”ଅତି ଭକ୍ତି ଚୋରର ଲକ୍ଷଣ” । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି, ଭଂଜନଗର ସିରିଡ଼ି ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣା ।ମନ୍ଦିର ଭିତରେ ପଶିଥିବା ଚୋରଟିଏ, ସାଇବାବାଙ୍କ ଆସ୍ଥାନ ଉପରେ ଚଢ଼ିବା ପୂର୍ବରୁ, ସେହି ସ୍ଥାନକୁ କିଭଳି ଭାବେ ମୁଣ୍ଡରେ ଲଗାଇ, ଉପରକୁ ଚଢୁଛି । ତାହା ସିସିଟିଭି ଫୁଟେଜ୍ ରେ କଏଦ୍ ହୋଇଥିବା ଭିଜୁଆଲ୍ ରେ ଦେଖିବାକୁ ମିଳୁଛି । ରାତି ପ୍ରାୟ ସାତେ-ଗୋଟାଏ ସମୟର ଘଟଣା । ମୁହଁରେ ଗାମୁଛା ପିନ୍ଧି ମନ୍ଦିର ପାଚେରୀ ଡେଇଁ ୩ ଜଣ ଭିତରେ ପଶିଲେ ।୩ ଜଣକ ମଧ୍ୟରୁ ଜଣେ ମହିଳା ଥିବା ଭଳି ଦୃଶ୍ୟମାନ ହେଉଛି ।ସେହିଭଳି ସେମାନଙ୍କ ଭିତରୁ ଜଣେ ସାଇବାବା ଙ୍କ ଆଗରେ ମୁଣ୍ଡିଆ ମାରୁଛି । ମନ୍ଦିର ଭିତରେ ପଶି ସାଇବାବାଙ୍କ ସୁନା, ରୂପା ଅଳଙ୍କାର, ଦାନ ହୁଣ୍ଡି ଓ ପାଖରେ ଥିବା ଲୁହାବକ୍ସରୁ ନଗଦ ଟଙ୍କା ନେଇ ମନ୍ଦିରରେ କଳାକନା ବୁଲାଇଦେଲେ । ମନ୍ଦିର କମିଟି ସଦସ୍ୟଙ୍କ କହିବା ଅନୁସାରେ ବିଭିନ୍ନ ରୂପା ଅଳଙ୍କାର, ସୁନା ଅଳଙ୍କାର ଦୁଇଟି ହୁଣ୍ଡିରେ ପଡିଥିବା ଅନୁମାନିକ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ମନ୍ଦିର କାର୍ଯ୍ୟାଳୟରେ ଥିବା ୩୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ।
ସମୁଦାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରି ହେଇଥିବା ନେଇ ମନ୍ଦିର ପରିଚାଳନା କମିଟି ଅନୁମାନ କରୁଛି । ଏପଟେ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଚଳାଇଛି ।