ମମତାଙ୍କ ଇସ୍ତଫା ପରେ ବିଜେଡିର ଚେତା ପଶିଲା

ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତଙ୍କ ଅତର୍କିତ ଇସ୍ତଫା ପରେ ବିଜେଡିରେ ଛନ୍‌କା ପଶିଯାଇଛି। ଏପରି ଢଙ୍ଗରେ ବିଜେଡି ଉପରେ ହମ୍‌ଲା ହେବ ବୋଲି କେହି ସାମାନ୍ୟ ସୁରାକ୍‌ ବି ପାଇ ନଥିଲେ। ଏବେ ଦଳକୁ ଏକଜୁଟ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ନେତାମାନଙ୍କୁ ଡକାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାର ବୈଠକକୁ ଦଳୀୟ ମହଲରେ ଅଧିକ ଗୁରୁତ୍ବ ଦିଆଯାଉଛି। କାରଣ ଏହି ଜିଲ୍ଲାର ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ପରେ ଜିଲ୍ଲା ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।

ମୟୂରଭଞ୍ଜ ଜିଲା ବିଜେଡି ନେତୃବୃନ୍ଦ ଶୁକ୍ରବାର ସନ୍ଧ୍ୟାରେ ନବୀନ ନିବାସଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜିଲାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।ଜିଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ବିଜେଡି ସରକାର ସମୟରେ ନିଆଯାଇଥିବା ପଦକ୍ଷେପ ପାଇଁ ନବୀନଙ୍କ ନିକଟରେ ସେମାନେ କୃତଜ୍ଞତା ପ୍ରକାଶ କରିଛନ୍ତି। ଏଥିନେଇ ଧନ୍ୟବାଦ ଜଣାଇବା ସହ ନବୀନ କହିଛନ୍ତି, ଲୋକଙ୍କ ସହିତ ସମ୍ପର୍କକୁ ମଜଭୁତ କରନ୍ତୁ। ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲାରେ ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଙ୍ଗଠନକୁ ଦୃଢ଼ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଅଧିକ ପଢନ୍ତୁ