ମହାକୁମ୍ଭ ପାଇଁ ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ ନଗରୀ ପ୍ରୟାଗରାଜରରେ ପହଞ୍ଚୁଛନ୍ତି। ଏପର୍ଯ୍ୟନ୍ତ ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏଠାରେ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ସେହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ ମହାକୁମ୍ଭର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରତିଦିନ ଦେଶବିଦେଶରୁ ଲୋକ ବୁଡ଼ ପକାଇବା ପାଇଁ ସଙ୍ଗମ ତଟକୁ ଆସୁଛନ୍ତି ଏବଂ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ ରହୁଛି । ଏଭଳି ସ୍ଥିତିରେ କିଏ କାହାର ଫଟୋ ଉଠାଉଛି , ଭିଡିଓ ଉତ୍ତୋଳନ କରୁଛି ଜାଣିବା ଭାରି ମୁସ୍କିଲ୍ । ଲଜ୍ଜାକର କଥା ହେଉଛି ମହିଳା , ଝିଅ , ଯୁବତୀମାନଙ୍କର ଏଭଳି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ତ ସେୟାର୍ କରାଯାଉଛି କିନ୍ତୁ ଆହୁରି ବିରକ୍ତକର କଥା ହେଉଛି ଏହି ଫଟୋ ସବୁକୁ ବିକ୍ରି ମଧ୍ୟ କରାଯାଉଛି ।
ପ୍ରୟାଗରାଜ ପୋଲିସ ମହିଳା ସ୍ନାନକାରୀଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ ଏବଂ ବିକ୍ରି କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି। ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ ଯେଉଁମାନେ ମହିଳା ଭକ୍ତଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ସେୟାର କରିଥିଲେ ଏବଂ ଟେଲିଗ୍ରାମରେ ବିକ୍ରି କରିବାକୁ ଦାବି କରିଥିଲେ ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଏବେ ପୋଲିସ ଟିମ୍ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବ।ଜାତୀୟ ଗଣମାଧ୍ୟମ ଆଜତକ୍ ଅନୁସାରେ , ୧୨ ରୁ ୧୮ ଫେବୃୟାରୀ ମଧ୍ୟରେ ଟେଲିଗ୍ରାମରେ “open bathing” ” ନାଁରେ ଲୋକ ଅଧିକ ସର୍ଚ୍ଚ କରୁଛନ୍ତି । କିଛି ଲୋକ ମହିଳାଙ୍କ ସମ୍ମାନକୁ ଏମିତି ଖୋଲାଖୋଲି ଭାବେ ଟେଲିଗ୍ରାମରେ ବିକ୍ରି କରିବାକୁ ମଧ୍ୟ ପଛାଉନାହାନ୍ତି । “Ganga river open bathing group”, “Hidden bath videos group”, ଏବଂ “Open bath videos group” ନାଁରେ ଟେଲିଗ୍ରାମରେ ଏମିତି ଅନେକ ଭିଡିଓକୁ ଗ୍ରୁପମାନଙ୍କରେ ସେୟାର୍ କରାଯାଉଛି । ଦୁର୍ଭାଗ୍ୟର କଥା ହେଉଛି ଏହି ଟେଲିଗ୍ରାମ୍ ଗ୍ରୁପମାନଙ୍କରେ ହସ୍ପିଟାଲରେ ମହିଳାଙ୍କ ପ୍ରାଇଭେଟ୍ ଚେକଅପର ସିସିଟିଭି ଫୁଟେଜ ମଧ୍ୟ ସେୟାର୍ କରାଯାଇଛି ।