ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ-୨୦୨୫ରେ ସ୍ନାନ କରିଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିବା ୩ ଜଣଙ୍କୁ ଅହମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଆଶଙ୍କା କରାଯାଉଛି। ଏଣୁ ମାମଲାର ତଦନ୍ତ ଜାରି ରହିଛି। ପୋଲିସ ଅନୁସାରେ ଅଭିଯୁକ୍ତମାନେ କୁମ୍ଭ ସ୍ନାନ କାଳରେ ମହିଳାଙ୍କ ଭିଡିଓ ରେକର୍ଡ କରି ସେଗୁଡିକୁ ୟୁଟ୍ୟୁବ୍ ଓ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ବିକୁଥିଲେ। ସୂଚନାମୁତାବକ ମହାକୁମ୍ଭ ପାଇଁ ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ ନଗରୀ ପ୍ରୟାଗରାଜରରେ ପହଞ୍ଚୁଛନ୍ତି। ଏଭଳି ସ୍ଥିତିରେ କିଏ କାହାର ଫଟୋ ଉଠାଉଛି , ଭିଡିଓ ଉତ୍ତୋଳନ କରୁଛି ଜାଣିବା ଭାରି ମୁସ୍କିଲ୍ । ଲଜ୍ଜାକର କଥା ହେଉଛି ମହିଳା , ଝିଅ , ଯୁବତୀମାନଙ୍କର ଏଭଳି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ତ ସେୟାର୍ କରାଯାଉଛି କିନ୍ତୁ ଆହୁରି ବିରକ୍ତକର କଥା ହେଉଛି ଏହି ଫଟୋ ସବୁକୁ ବିକ୍ରି ମଧ୍ୟ କରାଯାଉଛି ।
ପ୍ରୟାଗରାଜ ପୋଲିସ ମହିଳା ସ୍ନାନକାରୀଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ ଏବଂ ବିକ୍ରି କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା । ଜାତୀୟ ଗଣମାଧ୍ୟମ ଆଜତକ୍ ଅନୁସାରେ , ୧୨ ରୁ ୧୮ ଫେବୃୟାରୀ ମଧ୍ୟରେ ଟେଲିଗ୍ରାମରେ “open bathing” ” ନାଁରେ ଲୋକ ଅଧିକ ସର୍ଚ୍ଚ କରୁଛନ୍ତି । କିଛି ଲୋକ ମହିଳାଙ୍କ ସମ୍ମାନକୁ ଏମିତି ଖୋଲାଖୋଲି ଭାବେ ଟେଲିଗ୍ରାମରେ ବିକ୍ରି କରିବାକୁ ମଧ୍ୟ ପଛାଉନାହାନ୍ତି । “Ganga river open bathing group”, “Hidden bath videos group”, ଏବଂ “Open bath videos group” ନାଁରେ ଟେଲିଗ୍ରାମରେ ଏମିତି ଅନେକ ଭିଡିଓକୁ ଗ୍ରୁପମାନଙ୍କରେ ସେୟାର୍ କରାଯାଉଛି । ଦୁର୍ଭାଗ୍ୟର କଥା ହେଉଛି ଏହି ଟେଲିଗ୍ରାମ୍ ଗ୍ରୁପମାନଙ୍କରେ ହସ୍ପିଟାଲରେ ମହିଳାଙ୍କ ପ୍ରାଇଭେଟ୍ ଚେକଅପର ସିସିଟିଭି ଫୁଟେଜ ମଧ୍ୟ ସେୟାର୍ କରାଯାଇଛି ।