ମହାନଦୀ ପ୍ରସଙ୍ଗରେ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଟାର୍ଗେଟ । ମହାନଦୀ ସଙ୍କଟର ସମାଧାନ କେବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, ଆପୋସ ସମାଧାନ ପାଇଁ ସର୍ତ୍ତାବଳୀ କଣ ରହିବ । ଏହା ସହ ସରକାର ମହାନଦୀ ଟ୍ରିବ୍ୟୁନାଲରୁ ଓହରି ଯିବେନି ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ସ୍ରୋତ। କିନ୍ତୁ ଗତ କିଛି ଦଶନ୍ଧି ହେଲା ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ଚାଲିଛନ୍ତି। ଓଡ଼ିଶାର ବିନା ସହମତିରେ ଏବଂ ଆନ୍ତଃରାଜ୍ୟ ନଦୀଜଳ ଆଇନକୁ ଉଲ୍ଲଂଘନ କରି ଛତିଶଗଡ଼ ସରକାର ମହାନଦୀର ଜଳସ୍ରୋତକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରୁଛନ୍ତି। ଜଳସେଚନ ନାଁରେ ଶିଳ୍ପ ସଂସ୍ଥାମାନଙ୍କୁ ପାଣି ଯୋଗାଇ ଦିଆଯାଉଛି, ଯାହାଫଳରେ ଓଡ଼ିଶାରେ ମହାନଦୀ ଶୁଷ୍କ ହେବାକୁ ବସିଲାଣି।ସେ ଆହୁରି କହିଛନ୍ତି ଯେ କିଛି ବର୍ଷ ହେଲା ମହାନଦୀକୁ ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଛି । ଦୁଃଖର ସହିତ କହିବାକୁ ପଡୁଛି ଯେ ଷଡଯନ୍ତ୍ରର ମୁକସାକ୍ଷୀ ଭାରତ ସରକାର । ମହାନଦୀର ହତ୍ୟା ହେବ ମାନେ ଓଡିଶାର ହତ୍ୟା ହେବ । କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଲୋକେ ମହାନଦୀ ସମସ୍ୟାର ଶୀଘ୍ର ସମାଧାନ ଆଶା କରିଥିଲେ। କିନ୍ତୁ ରାଜ୍ୟ ସରକାର କେବଳ କମିଟି ଗଠନ କରି ଚୁପ୍ ବସିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।
