“ ମୁଁ ଚକରା କହୁଛି” ନାଟକ ମଞ୍ଚସ୍ଥ
ଭୁବନେଶ୍ୱର,(ଓଡିଶା ଦର୍ପଣ): ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଚସ୍ପତି ଶ୍ରୀଯୁକ୍ତ ଆରୁଖ ଏହା କହିଛନ୍ତି । ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ତଥା ବିଶିଷ୍ଟ ଗବେଷକ ଓ ନାଟ୍ୟକାର ମନ୍ମଥ କୁମାର ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚକରା ବିଷୋୟୀଙ୍କ ସଂଗ୍ରାମୀ ବ୍ୟକ୍ତିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ କ୍ରମରେ ଚକରା ବିଷୋୟୀଙ୍କ ଜୀବନୀ ବର୍ତ୍ତମାନ ତଥା ଭବିଷ୍ୟତ ପିଢି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ।
ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ବିଚିତ୍ରାନନ୍ଦ ଦାସ ମୁଖ୍ୟ ବକ୍ତା ଭାବରେ ବକ୍ତବ୍ୟ ରଖି ଚକରା ବିଷୋୟୀଙ୍କ ସଶସ୍ତ୍ର ସଂଗ୍ରାମ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ତରୁଣ କଳାକାର ସଂସ୍ଥାର କାର୍ଯ୍ୟକର୍ତ୍ତା ତଥା ଖ୍ୟାତିସଂପନ୍ନ ଅନୁବାଦକ ଡଃ. ଅଜୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଶେଷରେ ଢେଙ୍କାନାଳର ଅଲଟରନେଟିଭ୍ ରିଦମ୍ ଥିଏଟରର ଶିଳ୍ପୀମାନଙ୍କ ଦ୍ୱାରା ଚକରା ବିଷୋୟୀଙ୍କ ଜୀବନୀ ଆଧାରିତ “ ମୁଁ ଚକରା କହୁଛି” ନାଟକ ପରିବେଷଣ କରାଯାଇଥିଲା । ନାଟକର ନିର୍ଦ୍ଦେଶକ ଶ୍ରୀ ଦୀନେଶ ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।