ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା ମାଗଣା ସୁବିଧା ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।ସୁପ୍ରିମକୋର୍ଟ ଡିଏମକେ ସରକାର ନେତୃତ୍ୱାଧୀନ ତାମିଲନାଡୁ ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ ଲିମିଟେଡର ଏକ ଆବେଦନର ଶୁଣାଣି କରି ଦେଶରେ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଓ ନଗଦ ହସ୍ତାନ୍ତର କରାଯିବାର ଟ୍ରେଣ୍ଡ ବଢ଼ିବାରେ ଲାଗିଛି ବୋଲି କହିଥିଲେ। ଏହା କୌଣସି ଗୋଟିଏ ରାଜ୍ୟରେ ସୀମିତ ନାହିଁ। ଏହାଦ୍ବାରା ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି ହେବ ଓ ଲୋକମାନେ କାମ କରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ତାମିଲନାଡ଼ୁ ବିଦ୍ୟୁତ୍ ନିଗମ ଆବେଦନର ଶୁଣାଣି କରି କାହିଁକି ଶେଷ ମୁହୂର୍ତ୍ତରେ ଏକ ମାଗଣା ବିଦ୍ୟୁତ୍ ଯୋଜନା ଘୋଷଣା କରାଯାଇଥିଲା ବୋଲି ତାମିଲନାଡ଼ୁ ସରକାରଙ୍କୁ ପ୍ରଶ୍ନ କରିଥିଲେ ।କୋର୍ଟ କହିଛନ୍ତି, “ଯଦି ସରକାର ସିଧାସଳଖ ନଗଦ ଟଙ୍କା ବାଣ୍ଟିବେ, ତେବେ ଲୋକମାନେ କାମ କରିବେ କାହିଁକି? ଏହା ଦ୍ୱାରା ଦେଶର କର୍ମ ସଂସ୍କୃତି ନଷ୍ଟ ହେବ।” ମାଗଣା ବିଦ୍ୟୁତ, ଟଙ୍କା ବା ଅନ୍ୟାନ୍ୟ ସୁବିଧା ଯୋଗାଇଲେ ଏହାର ପ୍ରକୃତ ବୋଝ ସାଧାରଣ ଟିକସଦାତାଙ୍କ ଉପରେ ହିଁ ପଡ଼ିବ। ଅଧିକାଂଶ ରାଜ୍ୟ ପୂର୍ବରୁ ରାଜସ୍ୱ ନିଅଣ୍ଟ ସହ ସଂଘର୍ଷ କରୁଥିବା ବେଳେ, ବିନା ଯୋଜନାରେ ଏତେ ବଡ଼ ସବସିଡି କିଭଳି ଦିଆଯାଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଯେଉଁମାନେ ଶିକ୍ଷା ବା ମୌଳିକ ସୁବିଧା ପାଇବାକୁ ଅସମର୍ଥ ସେମାନଙ୍କୁ ସାହାଯ୍ୟ କରିବା ରାଜ୍ୟର କର୍ତ୍ତବ୍ୟ। କିନ୍ତୁ ଜଣେ ବଡ଼ ଜମିଦାର ମଧ୍ୟ ଯଦି ମାଗଣା ବିଦ୍ୟୁତ ବ୍ୟବହାର କରୁଛନ୍ତି, ତେବେ ଏହାକୁ ପୁନର୍ବିଚାର କରିବାର ସମୟ ଆସିଛି। ବର୍ଷକରେ ରାଜସ୍ବର ୨୫ ପ୍ରତିଶତ ବିକାଶ କାର୍ଯ୍ୟରେ କାହିଁକି ନ ଲଗାଯିବ ବୋଲି କୋର୍ଟ ପ୍ରଶ୍ନ କରିଥଲେ ।
