ମାନବ ଶରୀର ଉପରେ ‘ଅରୁଗୁଣ ଉଦ୍ଭିଦ’ର ବିଷାକ୍ତ ପ୍ରଭାବ

ଅରୁଗୁଣ ଫଳ ଖାଉଥିଲେ ସାବଧାନ ! ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମିଳୁଥିବା ‘ପ୍ରାଚୀନ ସାଇକାଡ’ତଥା ସ୍ଥାନୀୟ ଭାଷାରେ ଜଣାଶୁଣା ଅରୁଗୁଣ ଉଦ୍ଭିଦରୁ ଚିହ୍ନଟ ହୋଇଛି ସମ୍ଭାବ୍ୟ ନ୍ୟୁରୋଟକ୍ସିନ୍ । ଯାହାକୁ ଖାଇଲେ ଶରୀର ଉପରେ ଗଭୀର ପ୍ରଭାବ ପଡ଼ିଥାଏ ବୋଲି କହିଛନ୍ତି ବିଶେଷଜ୍ଞ । କିଛି ଲୋକ ଏହି ଗଛର ଫଳକୁ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ପିଠା ତିଆରି କରି ଖାଇବା ସହ ପୂଜାପର୍ବ ଓ ରୀତିନୀତିରେ ବ୍ୟବହାର କରୁଛନ୍ତି। ତେବେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଅରୁଗୁଣ ଉଦ୍ଭିଦର ବିଷାକ୍ତ ପ୍ରଭାବ ଜାଣିବା ପରେ ଚିନ୍ତାବ୍ୟକ୍ତ କରିବା ସହ ଏହା ଉପରେ ବିଶ୍ୱସ୍ତରୀୟ ଗବେଷଣା ଆରମ୍ଭ କରିଛନ୍ତି।ଆମ ରାଜ୍ୟରେ ବିଶେଷ କରି ଖୋର୍ଦ୍ଧା, ଢେଙ୍କାନାଳ ଆଦି ଜିଲ୍ଲାରେ ଏହି ଗଛର ଫଳକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । ଯାହା ବର୍ତ୍ତମାନର ଖାଦ୍ୟ ନୁହେଁ, ସେଗୁଡ଼ିକ ପୂର୍ବ ପୁରୁଷରୁ ଚାଲି ଆସୁଥିବା ପାରମ୍ପରିକ ପିଠା ଅଟେ ।ଅପରପକ୍ଷେ ସମ୍ପୃକ୍ତ ଉଦ୍ଭିଦରେ କୌଣସି ବିଷାକ୍ତ ପ୍ରଭାବ ଅଛି କି ନାହିଁ, ଏହି ପ୍ରଶ୍ନର ସମାଧାନ ପାଇଁ ଜାତୀୟ, ଅନ୍ତର୍ଜାତୀୟ ବୈଜ୍ଞାନିକ ଏବଂ ଚିକିତ୍ସା ବିଶେଷଜ୍ଞଙ୍କୁ ନେଇ ‘ସାଇକାଡ-ସମ୍ବନ୍ଧିତ ସ୍ନାୟୁଗତ ବ୍ୟାଧି: ଏହାର ପ୍ରତିକାର ପାଇଁ ଏକ ବହୁ-ପରିମାଣୀୟ ପଦ୍ଧତି’ ଶୀର୍ଷକ ଏକ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏମ୍‌ସ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ଏବଂ ଉତ୍ତର-ପୂର୍ବ ହିଲ ବିଶ୍ୱବିଦ୍ୟାଳୟ (ଏନ୍‌ଇଏଚ୍‌ୟୁ) ଶିଲଂ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସାଇକାଡ୍‌ ସହିତ ଜଡ଼ିତ ଗମ୍ଭୀର ସ୍ବାସ୍ଥ୍ୟ ବିପଦ ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ସହ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଏହି ପ୍ରାଚୀନ ଉଦ୍ଭିଦ ପ୍ରଜାତି ୩୦୦ ନିୟୁତ ବର୍ଷରୁ ଅଧିକ ସମୟ ଧରି ଡାଇନୋସର ସହିତ ରହିଥିଲା। ଏବେ ପ୍ରାୟତଃ ଆଳଙ୍କାରିକ ଉଦ୍ଭିଦ ଭାବରେ ବ୍ୟବହୃତ ହେଉଛି। ଏହି ସାଇକାଡ ପ୍ରଜାତିରେ ସାଇକାସିନ ଏବଂ ମିଥାଇଲାଜୋକ୍ସିମେଥାନଲ ସମେତ ଶକ୍ତିଶାଳୀ ବିଷାକ୍ତ ପଦାର୍ଥ ଥାଏ। ଏହି ବିଷାକ୍ତ ପଦାର୍ଥଗୁଡ଼ିକ ଆମେରିକାର ଗୁଆମ ଉପଦ୍ୱୀପ ଏବଂ ଜାପାନର କିଓ୍ବି ଉପଦ୍ୱୀପରେ ପାରମ୍ପରିକ ଖାଦ୍ୟର ଏକ ଅଂଶ ଭାବେ ବ୍ୟବହାର ହେଉଛି। ତେବେ ଏହା ପାର୍କିନସନ, ଡିମେନ୍ସିଆ ଭଳି ଜଟିଳ ସ୍ନାୟୁଗତ ରୋଗ ସୃଷ୍ଟି କରୁଥିବା ପ୍ରମାଣିତ ହୋଇଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital