ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ରାଜ୍ୟବ୍ୟାପୀ ୧୧୦ତମ ବିଜୁ ଜୟନ୍ତୀ ଧୁମଧାମରେ ପାଳନ କରିବ ବିଜେଡି । ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି ବୋଲି କହିଛି ବିଜେଡି । ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ପାଳିତ ହେବ ବିଜୁ ଜୟନ୍ତୀ । କାର୍ଯ୍ୟକ୍ରମରେ ସାମିଲ ହେବେ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ସେହିପରି ଶ୍ରଦ୍ଧା ସୁମନ ଅର୍ପଣ ସହିତ ରକ୍ତଦାନ ଶିବିର ଆୟୋଜିତ କରିବ ବିଜେଡି ।ନବୀନ ପଟ୍ଟନାୟକ ଯେଉଁ ସେବା କଥା କହିଛନ୍ତି, ତାକୁ ଆହୁରି ଆଗେଇ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜୁ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଦେବୀ କହିଛନ୍ତି, “ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଜୁ ଜୟନ୍ତୀ ପାଇଁ ମାର୍ଚ୍ଚ ୫ ତାରିଖରେ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ରାଜ୍ୟର ସମସ୍ତ ଜିଲ୍ଲା ସଭାପତି ଓ ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃତ୍ୱଙ୍କୁ ଜଣାଇ ଦିଆଯାଇଛି । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ ହେବ । ଜିଲ୍ଲା ସଭାପତି, ରାଜ୍ୟ କର୍ମକର୍ତ୍ତା, ଛାମୁଆ ସଂଗଠନ ଓ ବିଭିନ୍ନ ସେଲର କର୍ମକର୍ତ୍ତାଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବାହ୍ନରେ ଏଥିପାଇଁ ଏକ ବୈଠକ ଭିସି ଜରିଆରେ ଅନୁଷ୍ଠିତ ହୋଇଛି ।”
