
ନୟାଗଡ଼, (ଓଡ଼ିଶା ଦର୍ପଣ): ନୂଆଗାଁ ତହସିଲର ମାଳିସାହି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ ଘଟୁଥିବାରୁ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରି ସିପିଆଇ ଏମ୍ ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଶ୍ଵନାଥ ମହାପାତ୍ର ଏଥିପାଇଁ ଜନଆନ୍ଦୋଳନ ଗଢି ତୋଳିବା ପାଇଁ ଆହ୍ଵାନ ଦେଇଛନ୍ତି। ସରକାରୀ ନିଷ୍ପତ୍ତି ପରେ ମାଳିସାହି ଗ୍ରାମରେ ରାଜସ୍ବ ବିଭାଗ ପକ୍ଷରୁ ଏକ ପୂର୍ଣ୍ଣାଙ୍ଗ ଅଫିସ କୋଠା ଦୀର୍ଘ ଦିନ ହେଲା ଗଢାସରି ତାଲାପଡି ରହିଛି, ଅଥଚ ମାଳିସାହି ରେଭେନ୍ୟୁ ସେକ୍ସନ ଏଯାବତ ମହିପୁରଠାରେ ଏକ ସଂକୀର୍ଣ୍ଣ ବଖରାରେ ଦୟନୀୟ ଭାବେ ପରିଚାଳିତ ହେଉଅଛି। ସଂପୃକ୍ତ ଅଂଚଳର ହଜାର ହଜାର ହିତାଧିକାରୀ ଅଯଥାରେ ହଇରାଣ ହରକତ ହୋଇ ରାଜସ୍ଵ ସଂପର୍କୀୟ ନାନାଦି କାର୍ଯ୍ୟରେ ଖର୍ଚ୍ଚାନ୍ତ ପୂର୍ବକ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରି ମାଳିସାହି ରେଭେନ୍ୟୁ ଅଫିସ କାର୍ଯ୍ୟକ୍ଷମ ନକଲେ ସାଧାରଣ ଲୋକେ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବେ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି।