ମଲ୍ଲିଫୁଲ ଝୁଲି, ସୁନାକାଠି, ଜିଆଇ ଟ୍ୟାଗ ମାନ୍ୟତା ପ୍ରାପ୍ତ, କଳାଜିରା ଧାନ, ଶିରାଗା-ସାମ୍ବା, ଶୋରିସ ଫୁଲ ଧାନ ଓ ତୁଳସୀ ବାସ ଭଳି ଦେଶୀ ଓ ଜୈବିକ ଧାନରୁ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତ ହେବ ଭୋଗ । ଏଣିକି ଦେଶୀ ଓ ଜୈବିକ ଧାନ ଚାଷକୁ ପ୍ରୋତ୍ସାହନ ଦେବେ ମା’ ସମଲେଶ୍ୱରୀ ।ସମଲେଇ ପ୍ରକଳ୍ପ ହେବା ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠକୁ ବର୍ଷତମାମ ଦୈନିକ ହଜାର ହଜାର ଭକ୍ତ ଆସୁଛନ୍ତି । ଏଠାକୁ ଆସୁଥିବା ଭକ୍ତ ସମଲେଶ୍ୱରୀ ଭୋଗ ମଣ୍ଡପରେ ଅନ୍ନ ପ୍ରସାଦ ସେବନ କରୁଛନ୍ତି । ତେଣୁ ଭକ୍ତଙ୍କୁ ଏକ ସ୍ୱତନ୍ତ୍ର ଅନୁଭବ ଦେବାକୁ ଏହିଭଳି ପଦକ୍ଷେପ ନିଆଯାଇଛି । ଆଗକୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଭୋଗ ମଣ୍ଡପରେ ମିଳିବ ଜୈବିକ ପଦ୍ଧତିରେ ଚାଷ ହୋଇଥିବା ଦେଶୀ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ । ଏନେଇ ପୂର୍ବରୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବରଗଡ଼ ଜିଲ୍ଲାର ପଦମପୁର ଅଞ୍ଚଳର କିଛି ଚାଷୀଙ୍କ ସହ ଆଲୋଚନା କରି ସାରିଛି ।
