ଇନ୍ଦୋରର ବହୁ ଚର୍ଚ୍ଚିତ “କୋଟିପତି ଭିକାରୀ” ମଙ୍ଗିଲାଲ ମାମଲାରେ ନୂଆ ମୋଡ଼ । ପ୍ରଶାସନ ଦ୍ୱାରା ଭିକାରୀ ଭାବେ ଉଦ୍ଧାର କରାଯାଇଥିବା କୁଷ୍ଠ ରୋଗୀ ମଙ୍ଗିଲାଲଙ୍କ ପରିବାର ଏବେ ସାମ୍ନାକୁ ଆସି ସରକାରଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି । ସୂଚନାମୁତାବକ ଗତ ଶନିବାର ବିଳମ୍ବିତ ରାତିରେ ଯେତେବେଳେ ଉଦ୍ଧାରକାରୀ ଟିମ୍ ସରାଫା ଅଞ୍ଚଳରେ ନିୟମିତ ଭିକ ମାଗୁଥିବା ଜଣେ କୁଷ୍ଠ ରୋଗୀ ଭାବେ ମଙ୍ଗିଲାଲଙ୍କୁ ଉଠାଇଲେ, ତାଙ୍କ ସମ୍ପତ୍ତି ବିଷୟରେ ଜାଣି ଚକିତ ହୋଇଗଲେ । ନିରବ ଭିକ୍ଷାବୃତ୍ତି କଳାରେ ମଙ୍ଗିଲାଲ ପାରଙ୍ଗମ । ସେ କଦାପି ପାଟି ଖୋଲି ଭିକ ମାଗନ୍ତି ନାହିଁ । କେବଳ ନିଜ ଚକଲଗା ଲୁହା ଗାଡ଼ିରେ ବସିରହନ୍ତି । ତା’ପରେ ସହାନୁଭୂତି ସବୁକିଛି କରେ । ଲୋକେ ତାଙ୍କୁ ଇଚ୍ଛା ଅନୁସାରେ ଭିକ ଦିଅନ୍ତି । ଏହା ଜରିଆରେ ମଙ୍ଗିଲାଲ ଦିନକୁ ୪୦୦-୫୦୦ ଟଙ୍କା ଆୟ କରନ୍ତି । କିନ୍ତୁ ଯାଞ୍ଚ୍କର୍ତ୍ତାଙ୍କ ଅନୁସାରେ, ତାଙ୍କର ପ୍ରକୃତ ବ୍ୟବସାୟ ପରଦା ଆଢୁଆଳରେ ଥିଲା ।ମଙ୍ଗିଲାଲ ୪-୫ ଲକ୍ଷ ଟଙ୍କା ସୁଧରେ ଲଗାଇଛନ୍ତି ଏବଂ ସୁଧ ସମେତ ଦିନକୁ ୧୦୦୦ରୁ ୨୦୦୦ ଟଙ୍କା ଆୟ କରନ୍ତି ।
ଜଣେ କୁଷ୍ଠରୋଗୀ ଭିକାରୀ ଆଜି ସହରର ପ୍ରମୁଖ ସ୍ଥାନରେ ୩ ଘରର ମାଲିକ । ତନ୍ମଧ୍ୟରେ ଏକ ୩ ମହଲା ଅଟ୍ଟାଳିକା ବି ରହିଛି । ୩ଟି ଅଟୋରିକ୍ସା ଓ ଡିଜାୟର କାର୍କୁ ସେ ଦୈନିକ ଭଡ଼ା ଲଗାଇଛନ୍ତି । ତମାମ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଭିନ୍ନକ୍ଷମତା ଯୋଗୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେ ଏକ ଘର ମଧ୍ୟ ପାଇଛନ୍ତି । ମହିଳା ଏବଂ ଶିଶୁ କଲ୍ୟାଣ ଅଧିକାରୀ ତଥା ଉଦ୍ଧାର ଅଭିଯାନର ନୋଡାଲ ଅଫିସର ଦିନେଶ ମିଶ୍ର କହିଛନ୍ତି, ମଙ୍ଗିଲାଲଙ୍କୁ ଉଜ୍ଜୟିନୀର ସେବାଧର୍ମ ଆଶ୍ରମକୁ ପଠାଯାଇଛି । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଓ ସମ୍ପତ୍ତିର ଯାଞ୍ଚ୍ ଚାଲିଛି । ତାଙ୍କଠୁ ଋଣ ନେଇଥିବା ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ତେବେ ପୁତୁରା ଦାବି କରିଛନ୍ତି ଯେ, ଯେତେବେଳେ ଆଶ୍ରୟସ୍ଥଳରେ ମଙ୍ଗିଲାଲଙ୍କୁ ଭେଟିଥିଲେ, ସେ ତାଙ୍କୁ କହିଥିଲେ ଯେ ସେ ଭିକାରୀ ନୁହଁନ୍ତି । ସେ ଟଙ୍କା ସଂଗ୍ରହ କରିବାକୁ ସରାଫା ବଜାର ଯାଉଥିଲେ । ଏକ ଭୁଲ ବୁଝାମଣା ଯୋଗୁଁ ତାଙ୍କର ଫଟୋ ଭିକାରୀ ଭାବେ ଭାଇରଲ୍ ହୋଇଗଲା । ମଙ୍ଗିଲାଲଙ୍କ ପୁତୁରା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପ୍ରଶାସନ ଦ୍ୱାରା ତାଙ୍କ କାକାଙ୍କୁ ଦିଆଯାଇଥିବା ସମ୍ପତ୍ତି ବାସ୍ତବରେ ଭୁଲ୍ । ଭୁଲ ବୁଝାମଣା ପ୍ରସାରିତ ହୋଇଛି।
