ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଆଜି ଥିଲା ୧୭ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି। ପାଟଣାଗଡ଼ରୁ ଆସିଥିବା କିଡନୀ ଓ ସ୍ନାୟୁ ରୋଗୀ ତିଳୋତ୍ତମା ପାଣ୍ଡେଙ୍କ ଚିକିତ୍ସା ଓ ଯିବା ଆସିବା ଖର୍ଚ୍ଚ ଯୋଗାଇ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ପୂର୍ବରୁ ୧୬ ଟି ଅଭିଯୋଗ ଶୁଣାଣିରେ ୧୪ ହଜାର ଅଭିଯୋଗରୁ ୧୩,୧୬୯ଟି ର ସମାଧାନ କରାଯାଇଛି । ଯାହା ପ୍ରାୟ ୯୪ ପ୍ରତିଶତ ହେବ। କିଛି ବିଚାରାଧୀନ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲା ସ୍ତରରେ ଅନେକ ଅଭିଯୋଗର ସମାଧାନ ହେଉଛି । ଯେଉଁ ଗୁଡ଼ିକ ଗୁରୁତର ରହିଛି ରାଜ୍ୟ ସ୍ତରକୁ ଆସୁଛି । ଯାହା ନିୟମ ପରିସର ଭିତରେ ଆସିବ ତାର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
