ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ। କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍ । ଅଭିଯୁକ୍ତ କିଶୋର କୌଶଲ୍ୟାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ସଂଖ୍ୟା ୭୮, ୭୯, ୨୯୪, ୨୯୬, ୩୩୬(୨), ୩୩୬(୪), ୩୪୦(୨) ଓ ୩୫୬(୨) ଧାରା, ଆଇଟି ଆକ୍ଟ ୨୦୦୦ର ସଂଖ୍ୟା ୬୬-C, ୬୭ ଓ ୬୭-A ଧାରା, ଏବଂ ୧୯୮୬ର ଅଶ୍ଳୀଳ ମହିଳା ପ୍ରତିନିଧିତ୍ୱ (ନିଷେଧ) ଆଇନର ସଂଖ୍ୟା ୩ ଧାରା ଅଧୀନରେ ଅଭିଯୋଗ ରହିଛି। ତାଙ୍କୁ ଭୁବନେଶ୍ୱରର SDJM ମହଲାରେ ଉପସ୍ଥାପିତ କରାଯାଇଛି, ବୋଲି କ୍ରାଇମ ବ୍ରାଞ୍ଚ ଜଣାଇଛି।ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଫେସବୁକରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ମିଥ୍ୟା ଭିଡିଓ ପ୍ରଚାରିତ ହେଉଥିଲା। ଏମିତିକି ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଲୀଳ ଭାବେ ଚିତ୍ରଣ କରାଯାଇଥିଲା। ଅଭିଯୋଗକାରୀଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ପ୍ରତିଷ୍ଠା ନଷ୍ଟ କରିବା ଉଦ୍ଦେଶ୍ୟରେ ଭିଡିଓ ମର୍ଫ କରାଯାଇ ଭାଇରାଲ କରାଯାଇଥିଲା। ଏହା ମହିଳାଙ୍କ ସମ୍ମାନକୁ ମଧ୍ୟ କ୍ଷୁଣ୍ଣ କରିଛି।
ତେବେ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ମେଟା ପ୍ଲାଟଫର୍ମକୁ ମଧ୍ୟ ଅଶ୍ଲୀଳ କଣ୍ଟେଣ୍ଟ ହଟାଇବା ପାଇଁ ଅନୁରୋଧ କରାଯାଇଥିଲା। ଅଧିକ ତଦନ୍ତରୁ ଉକ୍ତ ଫେସବୁକ ଆକାଉଣ୍ଟ ବ୍ୟବହାରକାରୀ ରାୟଗଡ଼ା ଜିଲ୍ଲାର ବାସିନ୍ଦା ବୋଲି ଚିହ୍ନଟ ହୋଇଥିଲେ। ତେବେ କ୍ରାଇମ ବ୍ରାଞ୍ଚ ସମସ୍ତଙ୍କୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ସାମଗ୍ରୀ ବିଷୟରେ ଅତ୍ୟନ୍ତ ସତର୍କ ରହିବାକୁ ଆହ୍ଵାନ କରିଛି। “ଏହିପରି ଅବୈଧ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,” ବୋଲି କ୍ରାଇମ ବ୍ରାଞ୍ଚ ଚେତାବନୀ ଦେଇଛି।