ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହେବେ ବିଧବା ମହିଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (ଏମଏମକେଭିଓ୍ବାଇ) ଅଧୀନରେ ବିଧବା ମହିଳାଙ୍କୁ ସାମିଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁ ପରମ୍ପରା ଅନୁଯାୟୀ ଜଣେ ସ୍ତ୍ରୀ ପାଇଁ ବିଧବା ହେବା କୌଣସି ଅଭିଶାପ ଠାରୁ କମ ନୁହେଁ । କିନ୍ତୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ଅନେକ ମହିଳାଙ୍କ ଜୀବନରେ ଉପହାର ଆଣି ଦେବାକୁ ଯାଉଛି ।
ବୁଧବାର ଲୋକସେବା ଭବନରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରେ ହୋଇଥିବା ବୈଠକରେ ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରରେ କାର୍ଯ୍ୟକାରୀ ହେଉଥିବା ‘ ଆମେ ପଢ଼ିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଗରିବ, ଅସହାୟ ଏବଂ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ନଥିବା ପରିବାରଙ୍କୁ ତାଙ୍କର କନ୍ୟା ବିବାହ ପାଇଁ ସହାୟକ ହେବ ।ଏହି ଯୋଜନା ଅନୁଯାୟୀ, ସାମୂହିକ ବିବାହ କରାଯିବ ଏବଂ ସରକାର ସମସ୍ତ ଖର୍ଚ୍ଚ ବହନ କରିବା ସହିତ କନ୍ୟା ପାଇଁ ଏକ ଉପହାର ମଧ୍ୟ ପ୍ରଦାନ କରିବେ । ଏଥିସହିତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗଗୁଡ଼ିକୁ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଯଥାଶୀଘ୍ର ସମାପ୍ତ କରି, ଅଧିକ ବିଳମ୍ବ ନକରି ଯୋଜନା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।