ଲାଲ୍ ଗଡ଼ରେ ବୁଡ଼ୁଛି ରକ୍ତିମ ସୂର୍ଯ୍ୟ । ଶେଷ ନିଶ୍ବାସ ନେଉଛି ନକ୍ସଲବାଦ । ଗତ କିଛି ଦିନ ଧରି ମହାରାଷ୍ଟ୍ର ଓ ଛତିଶଗଡ଼ରେ ମାଓବାଦୀଙ୍କ ଆତ୍ମସମର୍ପଣ ଧାରା ଜାରି ରହିଥିବା ବେଳେ, ଆଜି ବି ବନ୍ଧୁକ ଛାଡ଼ିବାକୁ ଇନ୍ଦ୍ରାବତୀ ଘାଟରେ ମେଳି ବାନ୍ଧିଛନ୍ତି ଶତାଧିକ ମାଓବାଦୀ । ମାଓନେତା ରୂପେଶଙ୍କ ସହ ୧୩୦ ଜଣ ହାଡକୋର ନକ୍ସଲ ଲାଲ୍ ଗଡ଼ ଛାଡି ନିଜ ନିଜର ବନ୍ଧୁକ ଧରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ଲାଗି ଆସୁଛନ୍ତି । ଆସନ୍ତାକାଲି ଜଗଦଲପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିବାର ରହିଛି କାର୍ଯ୍ୟକ୍ରମ। ଯଦି ଏମିତି ହୁଏ ତାହା ହେଲେ ଏହା ନକ୍ସଲ ଇତିହାସରେ ଦେଶର ସବୁଠାରୁ ବଡ ଆତ୍ମସମର୍ପଣ ହେବ ।ସୂତ୍ର ଅନୁଯାୟୀ, ସେମାନଙ୍କ ସହିତ ୭୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ରହିଛି। ସଂଗଠନର ଦୀର୍ଘକାଳୀନ ଚେହେରା ରୂପେଶ, ବିଗତ ଦିନରେ ଶାନ୍ତି ଆଲୋଚନା ପଦକ୍ଷେପ ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ । ନକ୍ସଲ ବିରୋଧୀ ଅପରେସନକୁ ଛଅ ମାସ ପାଇଁ ବନ୍ଦ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ବର୍ତ୍ତମାନ, ସେହି ନେତା ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସୂଚାଇ ଦେଇଛି ଯେ ମାଓ ଗଡର ପତନ ଘଟୁଛି। ମାଓ ଚିନ୍ତାଧାରା ଏବେ ଭୂମିଗତ ସ୍ଥିତିରେ ପହଞ୍ଚିଛି ଏବଂ ଦ୍ରୁତ ଗତିରେ ଦୁର୍ବଳ ହେଉଛି।୨୦୨୪ ଜାନୁଆରି ପରଠୁ ଛତିଶଗଡ଼ରେ ବିଜେପି ସରକାର ଗଠନ ହେବା ପରେ, ୨୧ଶହ ନକ୍ସଲ୍ ଆତ୍ମସମର୍ପଣ କରିଛନ୍ତି, ୧୭ଶହ ୮୫ ଜଣଙ୍କୁ ଗିରଫ କରାଯାଇଛି ଏବଂ ୪୭୭ ଜଣଙ୍କୁ ନିପାତ କରାଯାଇଛି । ଶାହ ସଫା ସଫା ଲେଖିଛନ୍ତି- ବନ୍ଧୁକ ନଛାଡ଼ିଲେ ବିନାଶ ନିଶ୍ଚିତ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦର ମୂଳପୋଛ ସଂକଳ୍ପକୁ ପୁଣି ଦୋହରାଇଛନ୍ତି ।
