ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ

ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ ବାତ୍ୟା ନେଇ କୌଣସି ସୂଚନା ନଥିବାବେଳେ ଯେକୌଣସି ବିପର୍ଯ୍ୟୟର ସମ୍ମୁଖୀନ କରିବା ପାଇଁ ପ୍ରତି ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ କହିଥିଲେ । ଏତଦବ୍ୟତୀତ ବାତ୍ୟା ସୂଚନା ତଳ ସ୍ତରରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଖୁବ୍‌ଶୀଘ୍ର ପହଞ୍ଚାଇବା ପାଇଁ ଥିବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । କର୍ମଚାରୀଙ୍କ ଅବସରକାଳୀନ ପ୍ରାପ୍ୟ ଓ ପେନସନ ପ୍ରଦାନକୁ ସହଜ କରିବା ପାଇଁ ଜନ ଶୁଣାଣି ପୋର୍ଟାଲରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ ହୋଇଛି । ଏହାକୁ କର୍ମଚାରୀମାନେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଏଥିରେ ସାମୟିକ କି କି ସମସ୍ୟା ରହୁଛି, ତାହାକୁ ତର୍ଜମା କରି ଅଧିକ ସହାୟତା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital