ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଆତ୍ମସମର୍ପଣ କଲେ ୩୭ ମାଓବାଦୀ । ନିଷିଦ୍ଧ ସିପିଆଇ (ମାଓବାଦୀ)ର ୩୭ ଜଣ ଅଣ୍ଡରଗ୍ରାଉଣ୍ଡ କ୍ୟାଡର, ଯେଉଁଥିରେ ତିନି ଜଣ ରାଜ୍ୟ କମିଟି ସଦସ୍ୟ (ଏସସିଏମ) ମଧ୍ୟ ସାମିଲ ଥିଲେ, ଶୁକ୍ରବାର ଦିନ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ କୋୟଡା ସାମବୈହା ଓରପ୍ ଆଜାଦ, ଆପ୍ପାସି ନାରାୟଣ ଓରଫ୍ ରମେଶ ଅଛନ୍ତି । ଉଭୟଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ DKSZCର ରାଜ୍ୟ କମିଟି ସଦସ୍ୟ ମୁଚକି ସୋମଦା ଓରଫ୍ ଇରା ମଧ୍ୟ ଆତ୍ମସମର୍ପଣ କରିଛି । ଇରା ମୁଣ୍ଡରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ।ପୋଲିସ କହିଛି ଯେ ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଅକ୍ଟୋବର ୨୧ ତାରିଖରେ ମାଓବାଦୀମାନଙ୍କୁ ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କରିଥିବା ଅପିଲ ପରେ ଆତ୍ମସମର୍ପଣ କରାଯାଇଛି।ଆତ୍ମସମର୍ପଣ କରିଥିବା ୩୭ କ୍ୟାଡର ମାଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିବା ସହ ୮ଟି ଅସ୍ତ୍ରଶସ୍ତ୍ର ପୋଲିସକୁ ହସ୍ତାନ୍ତର କରିଛନ୍ତି । ଯେଉଁଥିରେ ଏକେ-47 ସହ ଦୁଇଟି SLRs, ୪ଟି 303 ରାଇଫଲ୍ ଏବଂ ଗୋଟିଏ G3 ରାଇଫଲ୍, ୩୪୬ଟି ଗୁଳି ମଧ୍ୟ ମିଳିଛି । ପୋଲିସକୁ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କା ହସ୍ତାନ୍ତର କରିଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀ ।ତେଲେଙ୍ଗାନା ପୋଲିସ କହିଛି ଯେ ୨୦୨୫ ମସିହାରେ ଏପର୍ଯ୍ୟନ୍ତ ୪୬୫ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି, ଯେଉଁଥିରେ ଦୁଇଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ୧୧ ଜଣ ରାଜ୍ୟ କମିଟି ସଦସ୍ୟ ଅଛନ୍ତି।
