ଚାଇନାର ତିଆନଜିନ ସହରରେ ସାଂଘାଇ ସହଯୋଗ ସଂଗଠନ (SCO) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ SCO ନେତାମାନେ ସର୍ବସମ୍ମତିକ୍ରମେ SCO ଘୋଷଣାପତ୍ର ଜାରି କରିଥିଲେ। ଏହି ଘୋଷଣାପତ୍ର ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରେ ଏବଂ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଦଣ୍ଡ ଦାବି କରେ। ଏଥିରେ ପାକିସ୍ତାନର ନାମ ଉଲ୍ଲେଖ କରାଯାଇ ନାହିଁ। ତେବେ ବୈଠକ ସ୍ଥଳକୁ ଏକସାଙ୍ଗରେ ନଜର ଆସିଛନ୍ତି ମୋଦି, ପୁଟିନ ଓ ଜିନପିଙ୍ଗ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି ଶି ଜିନପିଂ ଏକାଠି କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ତିନି ନେତା ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇଛନ୍ତି ।ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାଖରେ ଠିଆ ହୋଇଥିବା ଦେଖାଯାଇଥିଲା। କିନ୍ତୁ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନ୍ କୌଣସି ପ୍ରସଙ୍ଗ ଉପରେ କଥା ହୋଇ ମଞ୍ଚ ଉପରେ ଚାଲି ଚାଲି ଯାଉଛନ୍ତି। ଦୁହେଁ ଖୁବ୍ ହସି ହସି ଆଗକୁ ବଢ଼ୁଥିବା ବେଳେ ଆଗରେ ଠିଆ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ହେଲେ ଦୁହିଁଙ୍କ ମଧ୍ୟରୁ କେହି ବି ତାଙ୍କୁ ଗୁରୁତ୍ବ ନଦେଇ ଆଗକୁ ବଢ଼ିଯାଉଛନ୍ତି। ଏହି ସମୟରେ ଶେହବାଜ୍ ମୁହଁ ଫୁଲାଇ ଏକ କୋଣରେ ଠିଆ ହୋଇଥିବା ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଶେହବାଜଙ୍କୁ ଚୀନରେ ସେତେଟା ଗୁରୁତ୍ବ ମିଳିନଥିବା ଲୋକେ କହିବା ଆରମ୍ଭ କରିଛନ୍ତି।