ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନେଇ ଅପରାଜିତାଙ୍କ ଚିନ୍ତା, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରି ସେ ଏକ ଚିଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଛନ୍ତି। ସାଂସଦ କହିଛନ୍ତି ଯେ ଭୁବନେଶ୍ୱରର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଟ୍ରାଫିକ ସମସ୍ୟାକୁ ଦେଖିଲେ ମେଟ୍ରୋ ଏକ ଜରୁରୀ ଆବଶ୍ୟକତା । ପ୍ରକଳ୍ପ ବନ୍ଦ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୨୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏବେ ଏହାକୁ ବନ୍ଦ କରିଦେଲେ ଭବିଷ୍ୟତରେ ଆରମ୍ଭ କରିବା ପାଇଁ ୨ ରୁ ୪ ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।ଏହି ପ୍ରକଳ୍ପ କେବଳ ଭୁବନେଶ୍ୱର ନୁହେଁ, ବରଂ କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାର କ୍ଷମତା ରଖୁଥିଲା। ଲିଙ୍ଗରାଜ ମନ୍ଦିର, ଧଉଳି ଏବଂ ନନ୍ଦନକାନନ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ସହଜ ଯୋଗାଯୋଗ ପାଇଁ ମେଟ୍ରୋ ଏକ ଆଧୁନିକ ମାଧ୍ୟମ ହୋଇଥାନ୍ତା। ଲାଭ-କ୍ଷତିକୁ ନଦେଖି ବୃହତ୍ତର ଜନସ୍ୱାର୍ଥ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପକୁ ପୁନର୍ଜୀବିତ କରିବାକୁ ସେ ଦାବି କରିଛନ୍ତି।

ଅଧିକ ପଢନ୍ତୁ