ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ ତେନ୍ଦୁଲକର

କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ। ଫୁଟବଲ୍ ଜଗତରେ ଫୁଟବଲ୍ ସମ୍ରାଟ ଲିଓନେଲ୍ ମେସିଙ୍କ ଲୋକପ୍ରିୟତା ଅତୁଳନୀୟ। ଉଭୟ ଖେଳାଳିଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଲିଓନେଲ ମେସି ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ଫୁଟବଲ୍ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ଏହା ପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଏବଂ ତା’ପରେ “ମାଷ୍ଟର ବ୍ଲାଷ୍ଟର” ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି । ଏହା ପରେ ଦୁହେଁ କିଛି ସମୟ ପାଇଁ ଆଲୋଚନା କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ସଚିନ ତେନ୍ଦୁଲକର ମେସିଙ୍କୁ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଜର୍ସି ଉପହାର ପ୍ରଦାନ କରିଥିଲେ। ସଚିନ ତେନ୍ଦୁଲକର ଲେଖା ଓ ଦସ୍ତଖତ ଥିବା ୧୦ ନମ୍ବର ଜର୍ସିକୁ ସଚିନ ମେସିଙ୍କୁ ପ୍ରଦାନ କରିଥିଲେ। ସଚିନ ତେନ୍ଦୁଲକରଙ୍କୁ ପଚରାଯାଇଥିଲା ଯେ, ଲିଓନେଲ ମେସିଙ୍କ ଭାରତ ଗସ୍ତ ବିଷୟରେ କ’ଣ ଚିନ୍ତା କରୁଛନ୍ତି। ସେ କହିଛନ୍ତି, ‘ଆମେ ଲିଓନେଲ ମେସିଙ୍କ ସମର୍ପଣ, ଦୃଢ଼ତା ଏବଂ ପ୍ରତିବଦ୍ଧତାକୁ ସମ୍ମାନ କରୁ। ତାଙ୍କର ନମ୍ର ସ୍ୱଭାବ ଏବଂ ସେ ଯେଉଁ ପ୍ରକାରର ବ୍ୟକ୍ତି, ସେଥିପାଇଁ ସେ ବହୁତ ପ୍ରଶଂସିତ। ମୁମ୍ବାଇ ଏବଂ ଭାରତବାସୀଙ୍କ ପକ୍ଷରୁ, ମୁଁ ମେସି ଏବଂ ତାଙ୍କ ପରିବାରର ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।’

ଅଧିକ ପଢନ୍ତୁ