ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପାଗ ମେଘୁଆ ସହ କିଛି ସ୍ଥାନରେ ବର୍ଷା ହୋଇଛି। ଗଞ୍ଜାମର ଆସ୍କାଠାରୁ କଟକ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି। ସୋମବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିପାରେ। ତେବେ ରାଜ୍ୟରୁ ମୌସୁମୀ ଫେରିବା ବିଳମ୍ବିତ ହୋଇପାରେ। ଉତ୍ତର ବଙ୍ଗୋପସାଗରରେ ମୌସୁମୀ ନିଷ୍କ୍ରିୟ ଅଛି । ୯ ତାରିଖ ବେଳକୁ ତାମିଲନାଡୁ ପାଖ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ କେରଳ ପାଖ ଦକ୍ଷିଣ ପୂର୍ବ ଆରବସାଗର ଯାଏ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଲଘୁଚାପ ଓ ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୧୬ ଓ ୧୭ ତାରିଖରେ ରାଜ୍ୟରେ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ।