ଆଜି ସମ୍ୱଲପୁରରେ ନୂଆଁଖାଇ ଭେଟ୍ଘାଟ୍ । ପ୍ରାଶାସନିକ ସ୍ତରରେ ସରିଛି ସମସ୍ତ ବ୍ୟବସ୍ଥା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହେବେ। ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ହେଉଥିବା ଭେଟଘାଟ୍ କାର୍ଯ୍ୟକ୍ରମ ଇଷ୍ଟଦେବୀ ମା’ସମଲେଶ୍ୱରୀ ମନ୍ଦିର ପାର୍କିଂ ସ୍ଥଳରେ ଆୟୋଜିତ ହେବ।। ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଥିମ୍ ଡ୍ୟାନ୍ସରେ ବିମୋହିତ ହେବେ ଦର୍ଶକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମଲେଇ ମନ୍ଦିରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୂଆଁଖାଇ ଭେଟ୍ଘାଟ୍ରେ ସନ୍ଧ୍ୟା ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ । ଆଜି ଅପରାହ୍ଣ ପ୍ରାୟ ୩ଟାରେ ଜମାଦାରପାଲି ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ପ୍ରାୟ ୫ଟାରେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ପରେ ସନ୍ଧ୍ୟା ୬ଟାରେ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳକୁ ପୁଣି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।
