ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ୪୧ଟି ନମୂନା ପରୀକ୍ଷଣରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହ ଜିଲ୍ଲାର ଚାରୋଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିଛି ।
ଏହାରି ଭିତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଛି । ସମୀକ୍ଷା ବୈଠକରେ ଅଧିକାରୀମାନେ ଜଳବାହିତ ରୋଗର ବୃଦ୍ଧି ପାଉଥିବା ମାମଲାଗୁଡ଼ିକର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ । ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଥିଲେ, ଯାଜପୁରରେ ସଂଗୃହିତ ୪୧ଟି ମଳ ନମୂନା ମଧ୍ୟରୁ ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ବ୍ୟାପକ ସଚେତନତା, ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ଯୋଗୁ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ତେବେ ଯାଜପୁର ଜିଲାରେ ଝାଡ଼ାବାନ୍ତି ଆତଙ୍କୁ ନେଇ ଜିଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୪ ତାରିଖ ରୁ ୧୬ ତାରିଖ ଯାଏଁ ଛୁଟି ବାତିଲ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ ହୋଇଛି । ସମସ୍ତ ସରକାରୀ ଅଫିସ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।