ଯାଜପୁରରେ ଡାଇରିଆ ଆତଙ୍କ । ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ରୁ ଊର୍ଦ୍ଧ୍ବ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଝାଡାବାନ୍ତି ଆକ୍ରାନ୍ତ ହୋଇଥିବା ବେଳେ ଦାନଗଦୀ ଓ ବ୍ୟାସନଗର ଅଞ୍ଚଳର ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆକ୍ରାନ୍ତମାନେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯାଜପୁର ରୋଡ୍ ମେଡିକାଲରେ ଗୁରୁତର ଥିବା ୧୧ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଜିଲ୍ଲାରେ ଭୟ ବଢୁଥିବା ବେଳେ ଯାଜପୁର ଜ଼ିଲ୍ଲାପାଳ ନିଜେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରିଛନ୍ତି । ହସ୍ପିଟାଲରେ ଅତିରିକ୍ତ ଡାକ୍ତର ମୁତୟନ କରିବା ସହ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । କ’ଣ ପାଇଁ ଏଭଳି ଏତେ ସଂଖ୍ୟକ ଲୋକେ ଆକ୍ରାନ୍ତ ହୋଇଛନ୍ତି ତା’ର କାରଣ ଜାଣିବାକୁ ଏକ ଟିମ୍ ଗଠନ କରାଯାଇଛି । ଫୁଡ୍ ପଏଜନ୍ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଇଥିବା କହିଛନ୍ତି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ।
