ରାଜ୍ୟରେ ଅଣାୟତ୍ତ ଡାଇରିଆ ସ୍ଥିତି । ଡାଇରିଆ ପ୍ରବଣ ୩ ଜିଲ୍ଲା ଉପରେ ଦିଆଯାଉଛି ଅଧିକ ଫୋକସ୍ । ଯାଜପୁର ଜିଲ୍ଲା ମଧ୍ୟ ଫୋକସ୍ରେ ରହିଛି । ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ହଇଜା ଝାଡାବାନ୍ତି ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଲେ ମନ୍ତ୍ରୀ । ପରେ ମେଡିକାଲ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।
ହଇଜା ସ୍ଥିତିକୁ ଗୁରୁତ୍ୱ ପ୍ରଦାନ କରି ସଂକ୍ରମଣ ରୋକିବା ପାଇଁ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ କିଛିଦିନ ପାଇଁ ବନ୍ଦ କରିବାକୁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ବୁଧବାର ଜିଲ୍ଲାରେ ନୂଆ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା ହ୍ରାସ ପାଇଥିବା କହିଥିଲେ ଜିଲ୍ଲାପାଳ । ଜିଲ୍ଲାରେ ମୋଟ୍ ୨୩୩ ଜଣ ଡାଇରିଆ ରୋଗୀ ଜିଲ୍ଲା ହେଡକ୍ବାର୍ଟର ସମେତ ୧୩ଟି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।