ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡରେ ବିନା ପଞ୍ଜିକରଣରେ ବେଆଇନ ଭାବେ ଚାଲିଥିବା ବଳଦେବଜୀୟୁ ସେବା ଆଶ୍ରମରୁ ପିଲାଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏସଡିପିଓ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସର ଚଢ଼ାଉ |ବିଞ୍ଝାରପୁରର ଅଳକୁଣ୍ଡସ୍ଥିତ ସେବାଶ୍ରମର ୨୦୨୩ରୁ ସରିଛି ପଞ୍ଜିକରଣ । ୨୦୨୩ ମସିହାରୁ ଏହି ସେବାଶ୍ରମର ପଞ୍ଜିକରଣ ଅବଧି ସରିଥିବା ବେଳେ ବେଆଇନ ଭାବେ ପୁଅଝିଅଙ୍କୁ ରଖିଥିବାର ଅଭିଯୋଗ ହୋଇଥିଲା । ବାରମ୍ବାର ଏନେଇ ଜିଲ୍ଲା ପ୍ରଶାସନ ଚିଠି କରୁଥିଲେ ମଧ୍ୟ କୋର୍ଟ ଆଳରେ ଏହାକୁ ବେଖାତିର କରି ଅନ୍ତେବାସୀମାନଙ୍କୁ ହାଜର କରାଯାଉନଥିଲା। ଏପରିକି ପୂର୍ବରୁ ଯାଞ୍ଚ ପାଇଁ ଆସିଥିବା ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ ମଧ୍ୟ ହୋଇଥିଲା । ଆଶ୍ରମର ଦାୟିତ୍ୱରେ ଥିବା ବ୍ୟକ୍ତି ଅନ୍ୟ ଶିଶୁମାନଙ୍କୁ ଲୁଚାଇ ରଖିଥିବା ଜଣାପଡ଼ିଛି। ଆଗାମୀ ଦିନରେ ପୋଲିସ ସହାୟତାରେ ଅବଶିଷ୍ଟ ଶିଶୁମାନଙ୍କୁ ଉଦ୍ଧାର କରାଯିବ ବୋଲି ଏସଡିପିଓ ପ୍ରଶାନ୍ତ ମାଝୀ କହିଛନ୍ତି। ଅନ୍ୟପଟେ ଆଶ୍ରମର ପରିଚାଳକ ଦୁଷ୍ମନ୍ତ ଦାସଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ୪ଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଛି।
