ଯାଜପୁର ଜିଲ୍ଲାରେ ଲାଗି ରହିଛି ଝାଡାବାନ୍ତି ଆତଙ୍କ । ଗତ ଜୁନ 10ରୁ ଆଜି ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ଡାଇରିଆ ବା ଝାଡାବାନ୍ତି ରୋଗରେ 800ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଦୁଇ ମ୍ୟୁନିସିପାଲଟି ସମେତ ଯାଜପୁର ସଦର, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦି ଓ ବଡଚଣା ଆଦି 6ଟି ବ୍ଲକରେ ଏହାର ପ୍ରଭାବରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢିଛି । ଆଜି(ଜୁନ 12) ଅପରାହ୍ନରେ ବିଶ୍ବ ସ୍ଵାସ୍ଥ୍ୟ ସଂସ୍ଥାର ଏକ 4ଜଣିଆ ଟିମ୍ କୋରାଇ ମେଡିକାଲରେ ପହଞ୍ଚି ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ମଳ, ମୂତ୍ର, ରକ୍ତ ନମୂନା, ପାଣି, ଆଦିର ନମୁନା ସଂଗ୍ରହ କରି ପରୀକ୍ଷା ନିରୀକ୍ଷା କରିଥିଲେ । ମେଡ଼ିକାଲ ଅଫିସରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ତେବେ ଦାନଗଦି ବ୍ଲକ ତରାଇଲ ଗାଁରେ ଦୁଇଜଣଙ୍କର ଝାଡାବାନ୍ତିରେ ପ୍ରାଣ ହରାଇବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ଅଧିକାରୀ, କର୍ମଚାରୀ ମାନେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ପାଣିର ନମୁନା ସଂଗ୍ରହ କରିଛନ୍ତି l ରିପୋର୍ଟ ଆସିବା ପରେ ଏହାର କାରଣ ଜଣାପଡିବ ।
