ଯୁକ୍ତ ଦୁଇ ପରୀକ୍ଷା; ମାର୍ଚ୍ଚ ୨୮ରୁ ଖାତାଦେବା ବା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ 

ଆସନ୍ତା ୨୦୨୬ ଫେବୃଆରୀ ୧୮ ତାରିଖରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ। ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଶ୍ନପତ୍ରର ସୁରକ୍ଷା ଲାଗି ମୋଟ୍ ୨୧୦ଟି ହବ୍ କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଚଳିତବର୍ଷ ରାଜ୍ୟରେ ୧୫୦ଟି କଲେଜ ବୃଦ୍ଧି ହୋଇଥିବାରୁ ହବ୍ ସଂଖ୍ୟା ମଧ୍ୟ ବଢ଼ିବାର ସମ୍ଭାବନା ରହିଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଇଛନ୍ତି। ତେବେ ଚଳିତବର୍ଷ ରାଜ୍ୟରେ ମୋଟ୍ ୧୩୫୮ଟି ସେଣ୍ଟର ସମେତ ୭ଟି ସବ୍ ସେଣ୍ଟରରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୪ ଲକ୍ଷ ହଜାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଥର ଲାଗି ପ୍ରାକ୍ଟିକାଲ ପରୀକ୍ଷାରେ ୱେବ୍‌କାଷ୍ଟ ବ୍ୟବସ୍ଥା ହେବ। ସେହିପରି ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟାରେ ଶେଷ ହେବ। ସେହିପରି ୬୦୦ଟି ପରୀକ୍ଷାକେନ୍ଦ୍ରର ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯିବ। ତେବେ ପରୀକ୍ଷାରେ କପି ରୋକିବା ଲାଗି ଚଳିତବର୍ଷ ମଧ୍ୟ ପ୍ରଥମ ଥର ଲାଗି ପଞ୍ଚସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯିବ। ଯେଉଁଥିରେ ନିଜ କଲେଜର ଜଣେ ଇଣ୍ଟରନାଲ ସ୍କ୍ୱାଡ ସମେତ ପାଖ କଲେଜର ଜଣେ ଅବଜରଭର ସ୍କ୍ୱାଡ, ଜିଲ୍ଲା ପ୍ରଶାସନ ତରଫରୁ ଜଣେ ସ୍କ୍ୱାଡ, ଜୋନ ସ୍ତରର ଜଣେ ସ୍କ୍ୱାଡ ଏବଂ ଭୁବନେଶ୍ୱର +୨ ପରିଷଦରୁ ଜଣେ ସ୍କ୍ୱାଡ ନିୟୋଜିତ ହେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୨୮ରୁ ଖାତାଦେବା ବା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ସମସ୍ତ ବିଷୟଗୁଡିକ ଅନ୍‌ଲାଇନ୍ ବ୍ୟବସ୍ଥାରେ ମୂଲ୍ୟାଙ୍କନ କରାଯିବ। ଅଫ୍‌ଲାଇନ୍ ବ୍ୟବସ୍ଥା ଉଠାଯାଇଥିବାରୁ ଚଳିତବର୍ଷ ଖାତାଦେଖା ଖୁବଶୀଘ୍ର ଶେଷ ହେବାର ସମ୍ଭାବନା ରହିଛି। ସେହିପରି ଇ-ମୂଲ୍ୟାଙ୍କନ ଲାଗି ପ୍ରତିଷ୍ଠିତ ଆଇଟି କମ୍ପାନୀଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ। ସେଥିଲାଗି ଟେଣ୍ଡର ମଧ୍ୟ ଡକାଯାଇଛି।

ଅଧିକ ପଢନ୍ତୁ