ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି।ହେରାନରେ ମେଡିକାଲ ଉପକରଣ ପହଞ୍ଚିଥିବା ନେଇ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ଭାରତରେ ଥିବା ଇରାନ୍ ଦୂତାବାସ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛି । ଭାରତୀୟଙ୍କୁ ସାଧୁବାଦ ଜଣାଇଛି ଇରାନ୍ । ନୂଆଦିଲ୍ଲୀ ପଠାଇଥିବା ମେଡିକାଲ ସହାୟତା ଦେଶର ରେଡ୍ କ୍ରେସେଣ୍ଟ ସୋସାଇଟ୍ ଗ୍ରହଣ କରିଥିବା ନେଇ ଇରାନ ଦୂତାବାସ ସ୍ପଷ୍ଟ କରିଛି । ଭାରତର ଲୋକମାନେ ଦୟାଳୁ ବୋଲି ଟ୍ବିଟ୍ କରି କହିଛି ଇରାନ ଦୂତାବାସ ।ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତ’ହାଲି ଦିଲ୍ଲୀ ଏବଂ ତେହେରାନ ମଧ୍ୟରେ ସମ୍ପର୍କକୁ “ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ବୋଲି ବର୍ଣ୍ଣନା କରିଛନ୍ତି, ଇରାନ ଭାରତକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବରେ ମାନନ୍ତି ବୋଲି ଗୁରୁତ୍ୱାରୋପ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ସାଧାରଣ ସ୍ୱାର୍ଥ ବହନ କରନ୍ତି; ଫଳସୱରୂପ, ଉଭୟ ରାଷ୍ଟ୍ର ପରସ୍ପରର ସୱାର୍ଥ ପ୍ରତି ସଚେତନ ରହିବା ଉଚିତ। ସେ ଆହୁରି ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ, ଏହି ଚିକିତ୍ସା ସହାୟତା ପୂର୍ୱରୁ, ଭାରତ ଆମର ଅନୁରୋଧଗୁଡ଼ିକୁ ଗ୍ରହଣ କରି ସାମୁଦ୍ରିକ ପ୍ରସଙ୍ଗରେ ପ୍ରକୃତରେ ଅମୂଲ୍ୟ ସାହାଯ୍ୟ ପ୍ରଦାନ କରିଥିଲା। ଦୁଃଖର ବିଷୟ, ଅନ୍ୟ ଅନେକ ରାଷ୍ଟ୍ର ସହଯୋଗ କରିବାକୁ ମନା କରିଛନ୍ତି। ଏହି ପ୍ରତ୍ୟାଖ୍ୟାନ ପାଇଁ ଆମେ ସେମାନଙ୍କୁ କଠୋର ଜବାବ ଦେବାକୁ ଚାହୁଁଛୁ; ଆଗାମୀ ଦିନରେ ବିଶ୍ୱ ଏହି ବିଷୟରେ ଅଧିକ ଶୁଣିବ। ଇରାନ କୌଣସି ଶତ୍ରୁତାପୂର୍ଣ୍ଣ କାର୍ଯ୍ୟକୁ ଉତ୍ତର ନ ଦେଇ ଛାଡିବ ନାହିଁ। ତେବେ ଭାରତ ପୂର୍ବରୁ ଏଭଳି ଅନେକ ଦେଶକୁ ସହାୟତା ପଠାଇ ଉଦାହରଣ ସୃଷ୍ଟି କରିଛି। ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ହେବା ପରେ ପ୍ରଥମ ଥର ଭାରତ ତେହେରାନ୍କୁ ସହାୟତା ପଠାଇଛି । ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଯୁଦ୍ଧରେ ଇରାନ୍ର ୧୩୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୭୦୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଜାତିସଂଘରେ ଇରାନର ରାଷ୍ଟ୍ରଦୂତ ଅଲି ବାହରିନ୍ କହିଛନ୍ତି । ସେହିଭଳି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ କରିଛି ଯେ, ଇରାନରେ ୧୮ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି ଏବଂ ୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।
