ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ NSA, CDS ଏବଂ ସମସ୍ତ ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସେନାବାହିନୀକୁ ମୁକ୍ତ ହସ୍ତ ପ୍ରଦାନ କରିଛନ୍ତି। । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଡ଼ା ଜବାବ ଦେବା ଆମ ରାଷ୍ଟ୍ରୀୟ ସଂକଳ୍ପ ଅଟେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲଟା ଜବାବର ପ୍ରକ୍ରିୟା, ସ୍ଥାନ ଓ ସମୟ, ସବୁର ନିର୍ଦ୍ଧାରଣ କରିବାର ଅଧିକାର ସଶସ୍ତ୍ରବଳଙ୍କୁ ଦିଆଯାଇଛି । ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କୁ ପୃଥିବୀର ଶେଷ ଠିକଣା ଯାଏ ପିଛା କରି ଓ ସେମାନଙ୍କୁ କଳ୍ପନା ବାହାରେ ଦଣ୍ଡ ଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ପହଲଗାନ ଆକ୍ରମଣ ଜାମ୍ମୁ କାଶ୍ମୀରରେ ନାଗରିକଙ୍କ ଉପରେ ଗତ ଅନେକ ବର୍ଷରେ ସବୁଠୁ ବଡ଼ ଘାତକ ଆକ୍ରମଣ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ପ୍ରଧାନମନ୍ତ୍ରୀଙ୍କ କଠୋର ଟିପ୍ପଣୀ ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କ କଡ଼ା ଅଭିମୁଖ୍ୟରେ ବଡ଼ ଧରଣର ପାଲଟା ଜବାବ ମିଳିବା ନେଇ ଆଶା ବଢିଛି । ସୁରକ୍ଷା ଏଜେନ୍ସିକୁ ହାଇଆର୍ଲ୍ଟରେ ରଖିବା ସହ ଜମ୍ମୁକଶ୍ମୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେନା ଉପରେ ପୂରା ଭରସା ଥିବା କହିଲେ ମୋଦି ।