ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି- ମଣତି ଆରମ୍ଭ ହେବ। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି ।
ଶେଷ ଗଣତି-ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା। ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।ଆହୁରି ମଧ୍ୟ ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଫାସି କାଠ ଓ ଚନ୍ଦନ କାଠର ବ୍ୟାପକ ଆବଶ୍ୟକତା ରହୁଥିବାରୁ ଏଥିପାଇଁ ବନପ୍ରକଳ୍ପ ଜରିଆରେ ଏହି ଗଛ ଗୁଡିକ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
