୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜୁନ ୨୮ରୁ ଜୁଲାଇ ୬ ଭିତରେ ରତ୍ନଭଣ୍ଡାର ଚଟାଣ ମରାମତି ସରିବ। ଭିତର ଭଣ୍ଡାରର କବାଟକୁ ସୁନା ଛାଉଣୀ ପାଇଁ ପ୍ରସ୍ତାବ ଦିଆଯାଇଛି। ବାହାର ରତ୍ନଭଣ୍ଡାରରେ ରୂପା ଛାଉଣୀ କରାଯିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ବନ୍ଦ ରହିଛି ଭଣ୍ଡାରର ମରାମତି କାର୍ଯ୍ୟ। ଏପ୍ରିଲ ୨୯ରୁ ଜୁନ ୨୭ ପର୍ଯ୍ୟନ୍ତ ମରାମତି କାମ ବନ୍ଦ ରହିଛି।ନାଟ ମଣ୍ଡପ ଓ ଜଗମୋହନ ମରାମତି କାମ ମଧ୍ୟ କରାଯିବ। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି। ଷ୍ଟ୍ରକଚରାଲ ସେଫ୍ଟିକୁ ଗୁରୁତ୍ୱ ସହ ଶୀତତାପ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ଏଏସଆଇର ଅନୁମୋଦନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମନ୍ଦିର ଟେକ୍ନିକାଲ କମିଟି ଏବଂ ଏଏସଆଇ ମିଳିତ ଭାବେ ସବୁ ତଦାରଖ କରିବେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।
