ରହସ୍ୟରେ ରହିଗଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ । ଏଯାଏଁ ଜଣାପଡ଼ିଲାନି ଅଭିଯୁକ୍ତ କିଏ? ୨ ସପ୍ତାହ ଧରି ତନାଘନା କରୁଛି ପୁଲିସ । କ୍ରାଇମବ୍ରାଞ୍ଚ ବି ଘଟଣାସ୍ଥଳକୁ ଯାଇ କରୁଥିଲା ତନାଘନା । ରହସ୍ୟରେ ରହିଗଲା ସମ୍ୱେଦନଶୀଳ ମାମଲା । ଗତ ୧୯ ତାରିଖ (ଶନିବାର) ଦିନ ଜଳନୀୟ ଦ୍ରବ୍ୟ ମାଧ୍ୟମରେ ଜଳି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଆଜି ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶନିବାର ଦିନ ଅଘଟଣର ଶିକାର ହୋଇଥିବା ନାବାଳିକାଙ୍କର ଶନିବାର ମୃତ୍ୟୁ ଘଟିଛି। ୧୫ଦିନ ଚିକିତ୍ସାଧୀନ ଅବସ୍ଥାରେ ରହିଲା ପରେ ନାବାଳିକାଙ୍କର ମୃତ୍ୟୁ ନେଇ ରାଜ୍ୟବାସୀ ଗଭୀର ଶୋକ ପ୍ରକାଶ କରୁଛନ୍ତି। ଶରୀରର ୭୫ ପ୍ରତିଶତ ଜଳି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍ ଓ ସରକାର ପୂରା ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ନେଇ ନାନା ଚର୍ଚ୍ଚା ହେଉଛି। ସେପଟେ ପୁଲିସ ଆଉ କ୍ରାଇମବ୍ରାଞ୍ଚ ଲଗାତାର ତଦନ୍ତ ଜାରି ରଖିଥିଲେ । ବଳଙ୍ଗାଠାରୁ ଦିଲ୍ଲୀ ସବୁଆଡ଼େ ଆରମ୍ଭ କରିଥିଲେ ଖୋଳତାଡ଼ । ୩ ସପ୍ତାହ ଭିତରେ ୯୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା । ୩୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ବି ଟ୍ରାକିଂ ହୋଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯାଇଥିଲା ପୁଲିସ । ବଳଙ୍ଗାରେ ମୁଦି ଦୋକାନୀକୁ ବି ଜେରା କରାଯାଇଥିଲା । ପୀଡ଼ିତାଙ୍କ ମୃତ୍ୟୁ ହୋଇଗଲା, ହେଲେ ଏଯାଏଁ କାହାକୁ ଗିରଫ କରିପାରିନି ପୁଲିସ ।
