ରାଜଧାନୀରେ ନିୟମ ଭାଙ୍ଗୁଛନ୍ତି ବାର ଓ ପବ୍ । ମ୍ୟୁଜିକ ଆଳରେ ଚଲାଉଛନ୍ତି ଡ୍ୟାନସ ବାର। ସାମ୍ନାକୁ ଆସିଛି ବାର ଭିତରେ ନାଚ ଗୀତର ଆସର ସହ ଅସ୍ମିତା କ୍ଷୁର୍ଣ୍ଣ ହେଲା ଭଳି ଦୃଶ୍ୟ । ଯାହାକୁ ନେଇ ଅଭିଯୋଗ ପରେ ଯାଂଚ ଆରମ୍ଭ କରିଛି ଅବକାରୀ ଟିମ୍ ।ରାତି ବଢିବା ସାଙ୍ଗକୁ ବଢୁଛି ଡିଜେର ଶବ୍ଦ। ରଙ୍ଗୀନ ଆଲୋକର ମାୟାଜାଲ ଭିତରେ ନାଚୁଛନ୍ତି ଯୁବତୀ ଆଉ ତାଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ନିଶାସକ୍ତ ଗ୍ରାହକ।ଷ୍ଟେଜ୍ ଉପରେ ଯୁବତୀଙ୍କ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଗ୍ରାହକଙ୍କ ସିଧାସଳଖ ହାତକୁ ଟଙ୍କା ବଢାଇଦେବା, ଅବକାରୀ ବିଭାଗର କଟକଣାକୁ ଚ୍ୟାଲେଞ୍ଜ କରୁଛି।
ଅବକାରୀ ନିୟମ ଅନୁଯାୟୀ ବାର୍ ଭିତରେ ୨୪ ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସ ରହିବା ଜରୁରୀ। ଷ୍ଟେଜ୍ର ଉଚ୍ଚତା ଓ ରେଲିଂ ୩ ଫୁଟ୍ ଏବଂ ଗ୍ରାହକଙ୍କ ଠାରୁ ୫ ଫୁଟ୍ ଦୂରତା ରହିବା ବାଧ୍ୟତାମୂଳକ। ଯୁବତୀଙ୍କ ଉପରେ ଟଙ୍କା ଉଡାଇବା ମନା, କେବଳ ମ୍ୟାନେଜରଙ୍କ ଜରିଆରେ ଟିପ୍ସ ଦିଆଯାଇପାରିବ। ଯୁବତୀଙ୍କ ପରିଚୟ ପତ୍ର ଓ ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରିବା ବାର୍ ମାଲିକଙ୍କ ଦାୟିତ୍ୱ। ଭୁବନେଶ୍ୱରର ଏକ ବାର ଭିତରୁ ଏଭଳି ଚିତ୍ର ଆସିବା ପରେ ଏବେ ଉଠିଛି ଅସ୍ମିତା ପ୍ରତି ଅସମ୍ମାନର ଚିତ୍ର । ଓଡ଼ିଆ ଅସ୍ମିତାକୁ ଦୃଷ୍ଟିରେ ରଖି କୋଣସି ବାରକୁ ଡ୍ୟାନସ ବାର ପାଇଁ ନାହିଁ ଅନୁମତି ।
ସିସିଟିଭି ଭିଜୁଆଲ ଆଧାରରେ ଚାଲିଛି ଯାଂଚ । କୋଣସି ନିୟମ ଉଲଙ୍ଘନର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଲାଇସେନ୍ସ କାହିଁକି ବାତିଲ ନ ହେବ ବୋଲି କୈଫତ ମଗାଯିବ । ଯଦି ଏଭଳି ବାର ଚାଲିଲେ ଆଇନଶୃଙ୍ଖଳା ଉପୁଜିବ ତେବେ ଆବଶ୍ୟକ ପଡ଼ିଲେ ବାର କୁ ସିଲ୍ କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ।
