ରାଜଧାନୀରେ ଆରମ୍ଭ ହୋଇଛି “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୫” । ଦୀପାବଳିକୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ପଦର୍ଶନୀରୁ ମନ ପସନ୍ଦର ଜିନିଷ କିଣିବାକୁ ରାଜଧାନୀବାସୀଙ୍କ ଭିଡ ଜମିଛି । ଘର ସାଜସଜ୍ଜା ଠୁ ଆରମ୍ଭ କରି ବିଭିନ୍ନ ସୌଖୀନ ଓ ରୋଷେଇ ଶାଳର ସାମଗ୍ରୀ ସହ ଦୀପାବଳୀକୁ ରଙ୍ଗୀନ କରିବାକୁ ମାଟିରେ ତିଆରି ବିଭିନ୍ନ ଜିନିଷ କିଣି ନେଉଛନ୍ତି ଗ୍ରାହକ । ଗତକାଲିରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୧୯ ତାରିଖ ଯାଏ ଚାଲିବ। ଚଳିତଥର ୨୧୦ଟି ଷ୍ଟଲ୍ ଖୋଲିଛି । ଓଡିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୩୫୦ ଜଣ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ।
ଏଥର ୩ କୋଟି ଟଙ୍କାରୁ ଅଧିକ ବିଜିନେସ୍ ହେବ ବୋଲି ଆକଳନ କରାଯାଇଛି । ମୁଖ୍ୟ ଆକର୍ଷଣ ସାଜିଛି ସେରାମିକ ଓ ମାଟିରେ ତିଆରି ଗଣେଶଙ୍କର ବିଭିନ୍ନ ପ୍ରକାର ରୂପ ।ଦିନକୁ ଦିନ ଆଧୁନିକତାର ଛାପରେ ମୂର୍ତ୍ତିକାର ଅବକ୍ଷୟ ହେଉଥିବା ବେଳେ ଏହାର କୌଳିକ ବୃତ୍ତି ଲୋପ ପାଇବାକୁ ବସିଛି । ଏହି ପଦର୍ଶନୀ ପୁଣି ଥରେ କୁମ୍ଭାରକୁ ମୂର୍ତ୍ତିକାର ଚାହିଦା ସହ କୌଳିକ ବୃତ୍ତିକୁ ବଞ୍ଚିବାର ରାହା ଦେଖାଇଛି। ମୂର୍ତ୍ତି କାରିଗର ମାନେ ଉଚ୍ଚ କୋଟିର କାରିଗରୀ କୌଶଳୀ ସହ ବେଶ ସୁନ୍ଦର କଳାକୃତୁ କରିଥିବା ବେଳେ ତାହା ଲୋକଙ୍କୁ ବେଶ ପସନ୍ଦ ଆସୁଛି । ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ଥିମ୍ ପ୍ୟାଭିଲିୟନରେ ପାରମ୍ପରିକ ଠାରୁ ଆଧୁନିକ ସୌଖୀନ ଉପକରଣ ପର୍ଯ୍ୟନ୍ତ ଟେରାକୋଟା ହସ୍ତଶିଳ୍ପର ଯାତ୍ରାକୁ ପ୍ରଦର୍ଶନ କରାଯାଇଛି। ଆମ ରାଜ୍ୟରେ ୪୦ରୁ ଅଧିକ ଟେରାକୋଟା ହସ୍ତଶିଳ୍ପ କ୍ଲଷ୍ଟର ରହିଛି । ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ୬୧ଟି ହସ୍ତଶିଳ୍ପ ମଧ୍ୟରୁ “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ହେଉଛି ଏକ ଅତ୍ୟନ୍ତ ପୁରାତନ ହସ୍ତଶିଳ୍ପ ।