ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଛି। ବାଣ ନେଇ ଯାଉଥିବା ବେଳେ ହଠାତ ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି । ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଉପରେ ସ୍କୁଟିରେ ଲାଗିଛି ନିଆଁ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ରାସ୍ତାରେ ଯାଉଥିବା ଲୋକ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି । ଦୁଇ ଜଣ ଭୁବନେଶ୍ବରୁ କଟକ ଅଭିମୁଖେ ଯାଉଥିବା ବେଳେ ଓକାକ ସାମ୍ନାରେ ଥିବା ଫ୍ଲାଏ ଓଭରରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଗଲା । ଆଉ ଦେଖୁ ଦେଖୁ ସ୍କୁଟି ଜଳିବାକୁ ଲାଗିଲା । ବାଣ ଫୁଟିବା ପରେ କିଛି ଦରଫୁଟା ବାଣ ସବୁ ରାସ୍ତା ସାରା ବିଛେଇ ପଡିଥିଲା । ସମ୍ଭବତ ଜଣେ ମହିଳା ଏବଂ ଜଣେ ପୁରୁଷ ଭୁବନେଶ୍ବରରୁ କଟକ ଆଡେ ବାଣ ନେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି ପରେ ନିଆଁ ସ୍କୁଟିରେ ଲାଗିଛି । ତେବେ ସେମାନେ ବାପା-ଝିଅ ବୋଲି କେହି କେହି କହୁଛନ୍ତି । ଏହି ବାଣ ନେଲା ବେଳେ କୌଣସି ନା କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିବାର ଅନେକ ନଜିର ରହିଛି । ତେଣୁ ବାଣ ନେଲା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
