ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୋଲିସ

ଦୁର୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୁଲିସ । ଚୌଦ୍ଵାର ଜେଲ୍‌ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜାକୁ ରିମାଣ୍ଡରେ ନିଆଯାଇଛି । ମହୀଶୂର ସୁନା ଦୋକାନ ଲୁଟ୍ ଘଟଣାରେ ପଚରାଉଚରା କରିବ ପୁଲିସ। ଅଭିଯୁକ୍ତ ରାଜାକୁ ମହୀଶୂର ପୁଲିସ ଚୌଦ୍ୱାର ଜେଲ୍‌ରୁ ଆଣି ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଇବା ପରେ ନିଜ ରାଜ୍ୟକୁ ନେଇଯିବ ବୋଲି ସୂଚନା ମିଳିଛି । ଜେରା ସାରି ଆସନ୍ତା ୧୫ ତାରିଖରେ ପୁଣି ରାଜାକୁ ମହୀଶୂର ପୁଲିସ ଆଣି କୋର୍ଟରେ ହାଜର କରାଇବ ବୋଲି କଟକ କମିସନରେଟ୍ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ୨୦୨୫ ଜାନୁଆରୀ ୪ରେ ରାଜା ସାହାଣୀ ଯାଜପୁର ଜିଲା ପାଣିକୋଇଲିରେ ଅଳଙ୍କାର ଲୁଟ୍‌ ଓ ଦୁଇଜଣଙ୍କୁ ହତ୍ୟା ଘଟଣାରେ ସେଠାକାର ପୁଲିସ ତାକୁ ଗିରଫ କରି ଚୌଦ୍ବାର ଜେଲ ପଠାଇଥିଲା। ଚୌଦ୍ବାର ଜେଲରେ କିଛିଦିନ ରହିବା ପରେ ରାଜା ଓ ସହଯୋଗୀ ମଧୁକାନ୍ତ ରାଣା ଫେରାର ହୋଇଯାଇଥିଲେ। ଫେରାର ପରେ ରାଜା କର୍ଣ୍ଣାଟକର ଏକ ଅଳଙ୍କାର ଦୋକାନରୁ ପାଖାପାଖି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟ୍‌ କରିଥିଲା। କର୍ଣ୍ଣାଟକ ପୁଲିସ ତଦନ୍ତ ବେଳେ ରାଜା ସହ ଏକାଧିକ ବ୍ୟକ୍ତି ସାମିଲ ଥିବା ଜାଣିବାକୁ ପାଇଥିଲା। ପୁଲିସ ରାଜାର ସହଯୋଗୀଙ୍କୁ ଗିରଫ କରିଥିବାବେଳେ ରାଜା ସମ୍ପର୍କରେ ଟେର ପାଇପାରୁନଥିଲା। ମଧୁକାନ୍ତ ଗିରଫ ହେବା ପରେ କର୍ଣ୍ଣାଟକ ପୁଲିସ ରାଜା ସମ୍ପର୍କରେ ତଥ୍ୟ ହାସଲ ପାଇଁ କମିଶନରେଟ ପୁଲିସର ସହଯୋଗ ଲୋଡ଼ିଥିଲା।

ଅଧିକ ପଢନ୍ତୁ