ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ ନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଫେସର ଡଃ. ସୁସ୍ମିତ ପ୍ରସାଦ ପାଣି ଏବଂ ପ୍ରଫେସର ଡଃ. ଅତନୁ ପତିଙ୍କ ସମେତ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନେ ଅଂଶଗ୍ରହଣ କରିଥିଲେ।ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଣୟନ ପାଇଁ ଖୁବ୍ କମ ଦିନ ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ତରଫରୁ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ପ୍ରସଂଶନୀୟ। ଏହି ନୀତି ବିଭିନ୍ନ କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥାରେ ପରିଲକ୍ଷିତ ହେଉଥିବା ଅସୁବିଧା ଓ ଅଭାବକୁ ଦୂର କରିବା ଏବଂ ଶିକ୍ଷକ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ। ଆଗାମୀ ୧ରୁ ୩ ସପ୍ତାହ ମଧ୍ୟରେ ଏ ସଂପର୍କରେ ଶୀର୍ଷସ୍ତରରେ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ରାଜ୍ୟରେ ଏହି ନୀତି ଲାଗୁ କରାଯିବ