ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

ରାଜ୍ୟରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସୋମବାର ତ୍ରିପାକ୍ଷିକ ବୁଝାମଣାପତ୍ର ଚୁକ୍ତି ସ୍ବାକ୍ଷର ହୋଇଛି। ଏନଟିପିସି, ଗ୍ରୀଡକୋ ଲିମିଟେଡ ଓ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି। ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ଗୃହ ଓ ନଗର ମନ୍ତ୍ରୀ ଉପସ୍ଥିତ ଥିଲେ। ଆସନ୍ତା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏମ୍‌ଓୟୁରେ ସମ୍ପୃକ୍ତ ୩ଟି ସଂସ୍ଥାର ପ୍ରମୁଖ ଭୂମିକା ଏବଂ ଦାୟିତ୍ୱମାନ ଉଲ୍ଲେଖ କରାଯାଇଛି।

ହାଇଡ୍ରୋଜେନ୍‌ ଚାଳିତ ବସ୍‌ଗୁଡ଼ିକର ସୁପରିଚାଳନା ଦାୟିତ୍ୱ କ୍ରୁଟ୍‌କୁ ଦିଆଯାଇଥିବାବେଳେ ଏନ୍‌ଟିପିସି ହାଇଡ୍ରୋଜେନ୍‌ ଉତ୍ପାଦନ ଉପରେ ଧ୍ୟାନ ଦେବ ଏବଂ ଗ୍ରୀଡ୍‌କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ। ଜାତୀୟ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମିଶନ୍‌ ଅଧୀନରେ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସବୁଜ ହାଇଡ୍ରୋଜେନ ବ୍ୟବହାର ପାଇଁ ପାଇଲଟ୍‌ ପ୍ରୋଜେକ୍ଟଗୁଡିକର କାର୍ଯ୍ୟକାରୀ କରିବା ପାଇଁ ପ୍ରୋଜେକ୍ଟର ଗାଇଡଲାଇନ ଜାରି କରାଯାଇଛି। ଏହି ପ୍ରକଳ୍ପରେ ଅଟୋମୋଟିଭ୍‌ ରିସର୍ଚ୍ଚ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ ଏହି ପାଇଲଟ୍‌ ପ୍ରୋଜେକ୍ଟରେ ୧୯.୫ କୋଟି ରାଶି ବିନିଯୋଗ କରିଛି। ପ୍ରକଳ୍ପର ସଫଳ ରୂପାୟନ ପରେ ରାଜ୍ୟରେ ଡିଜେଲ୍‌ ବସ୍‌ ବ୍ୟବହାରକୁ ହ୍ରାସ କରି ଆଗାମୀ ଦିନରେ ସବୁଜ ହାଇଡ୍ରୋଜେନ୍‌ ବସ ଅଧିକ ସାମିଲ କରାଯିବ। ପାସେଞ୍ଜରକୁ କମ୍ ଭଡ଼ା ଲାଗିବ। ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି। ସରକରଙ୍କ ପକ୍ଷରୁ ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ କରାଯିବ ବୋଲି ଉପ ମୁଖ୍ୟ ମନ୍ତ୍ରୀ କେ ବି ସିଂ ଦେଓ କହିଛନ୍ତି।

ଅଧିକ ପଢନ୍ତୁ