ରାଜ୍ୟରେ ଥିବା ୨୦ କୋଠରିରୁ ଅଧିକ ହୋଟେଲଗୁଡ଼ିକରେ ମଦ ବାର୍ ଖୋଲିବା ପାଇଁ ଅନୁମତି ଦିଆଯିବ: ଆଇନ ମନ୍ତ୍ରୀ 

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରୁଥିବା ସବୁ ରାସ୍ତା ସମ୍ପ୍ରସାରଣ କରାଯିବ। ପୁରୀ – ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବ।ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ପୁରୀ-କୋଣାର୍କ, ପୁରୀ ସାତପଡ଼ା ଏବଂ ପିପିଲି କୋଣାର୍କ ରାଜପଥ ୪ ଲେନ୍‌ ବିଶିଷ୍ଟ କରାଯିବ।ସେହିପରି ରାଜ୍ୟରେ ଥିବା ୨୦ କୋଠରିରୁ ଅଧିକ ହୋଟେଲଗୁଡ଼ିକରେ ମଦ ବାର୍ ଖୋଲିବା ପାଇଁ ଅନୁମତି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ଖୁବ୍‍ଶୀଘ୍ର ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯିବ। ଶ୍ରୀଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ। ଏହାଦ୍ବାରା ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ।ଜାତୀୟ ଟୁର୍ ଅପରେଟର ସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ମିଳନୀର ରବିବାର ଉଦଯାପନୀ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital