ମାତ୍ର କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବେଧଡ଼କ ଚାଲିବ ଡ୍ୟାନ୍ସବାର । କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ କିମ୍ବା ତାଙ୍କ ଉପରକୁ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇ ହେବନାହିଁ । ମହିଳା ଡ୍ୟାନ୍ସରମାନଙ୍କର ପୋଷାକ ପରିଧାନରେ ବି ଶାଳୀନତା ରହିବ ।ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ରୁଲସ୍ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି । ଆଜିଠୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସଂଶୋଧିତ ନିୟମାବଳୀ(ରୁଲସ) ଆଧାରରେ ଏଣିକି ରାଜ୍ୟର ମଦବାରଗୁଡ଼ିକରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ । ଓଡ଼ିଶା ଅବକାରୀ ରୁଲସ-୨୦୧୭ର ନିୟମାବଳୀ-୪୪(ସବରୁଲସ-୪)ର ପ୍ରାବଧାନରେ ସଂଶୋଧନ କରାଯାଇଛି ।
ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ବିଦେଶୀ ମଦ ଓ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମଏଫଏଲ) ବିକିବାକୁ ଅନସପ୍ ଲାଇସେନ୍ସଧାରୀ ବା ଲାଇସେନ୍ସପ୍ରାପ୍ତ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ ।ଡ୍ୟାନ୍ସ ବାର୍ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ ଏବଂ ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ ତଥା ସେଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ କରାଯିବ ନାହିଁ । ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ ।
ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ ତା’ହେଲେ ସମ୍ପୃକ୍ତ ବାରମାଲିକ ସଙ୍ଗେସଙ୍ଗେ ନିଜ ଅଂଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ । ଆଉ ଯେପର୍ଯ୍ୟନ୍ତ ସିସିଟିଭି ଠିକ୍ ନହୋଇ ସେପର୍ଯ୍ୟନ୍ତ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ । ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁଡ଼ିକୁ ରେଜିଷ୍ଟର ରଖିବାକୁ ପଡ଼ିବ । ଯାହା ଦରକାର ସମୟରେ ପୁଲିସ ଅବା ଅବକାରୀ ଅଫିସରଙ୍କୁ ଦେବେ । ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ । ଅବକାରୀ କମିଶନର ୨୧ଟି ସର୍ତ୍ତ ଆଧାରରେ ଏହି ଡ୍ୟାନ୍ସବାରଗୁଡ଼ିକ ପରିଚାଳନା ପାଇଁ ଅନୁମତି ଦେଇପାରିବେ ।