ରାଜ୍ୟରେ ମୌସୁମୀ ବର୍ଷା ଜାରି ,ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ

ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ତେବେ ଆସନ୍ତା ୭ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ଏହି ଘୂର୍ଣ୍ଣିବଳୟ ରହିବ । ଏହା ପ୍ରଭାବରେ ୯ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ସୋମବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଢେଙ୍କାନାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନର ଆଶଙ୍କା ରହିଛି। ଅନ୍ୟପଟେ ବଜ୍ରପାତ ଭୟ ଥିବା ୧୭ ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାଗୁଡ଼ିକ ହେଉଛି – ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି।ରବିବାର ଚାନ୍ଦବାଲିରେ ସର୍ବାଧିକ ୫୨.୬ ମିମି ବର୍ଷା ହୋଇଛି । ଭଦ୍ରକରେ ୧୦ମିମି, କେନ୍ଦ୍ରାପଡ଼ାରେ ୬.୪ ଓ ରାଉରକେଲାରେ ୩.୧ ମିମି ବର୍ଷା ରେକର୍ଡ ହୋଇଛି ।

ଅଧିକ ପଢନ୍ତୁ