ରାଜ୍ୟରେ ଶୀତ ଜାରି ରହିବ । ବିଶେଷ କରି ଆସନ୍ତା ୭ ଦିନ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ରାତିର ତାପମାତ୍ରା ପ୍ରାୟ ୧୧ରୁ ୧୩ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ସୂଚନା ଦେଇଛି। ଜି ଉଦୟଗିରିରେ ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୯, ରାଉରକେଲା ୧୦.୩, କେନ୍ଦୁଝର ୧୦.୪ ଓ ଭୁବନେଶ୍ୱରରେ ୧୨.୩ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୩ ଦିନ ଯାଏ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ।
ବିଶେଷ କରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏହାସହ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହିତ ହୋଇପାରେ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ଶୀତ ପ୍ରକୋପ ଆହୁରି ବଢ଼ିଯିବ ଓ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ।