ରାଜ୍ୟର ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଛି ୫୦୧୪ଟି ଡାକ୍ତର ପଦବୀ

ରାଜ୍ୟରେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଥିବା ବେଳେ ୫୦୧୪ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ଏହି ସବୁ ଡାକ୍ତରଖାନାଗୁଡ଼ିକରେ ୧୧୧୪ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫୦ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମୟୂରଭଞ୍ଜରେ ୩୦୯ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଏହି ଦୁଇ ଜିଲ୍ଲାରେ ଯଥାକ୍ରମେ ୮୭ ଓ ୮୮ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ୨୮ଟି ସିଏଚ୍‌ସି ଥିବା ବେଳେ ୫୮୧ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି। କିନ୍ତୁ ଏବେ ଜିଲ୍ଲାର ୨୮ଟି ସିଏଚ୍‌ସିରେ ମାତ୍ର ୧୩୧ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ୪୫୦ଟି ଡାକ୍ତର ପଦ ଖାଲି ପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ୨୮ଟି ସିଏଚ୍‌ସିରେ ୫୬୭ ଜଣ ଡାକ୍ତର କାର୍ଯ୍ୟ କରିବା କଥା।

କିନ୍ତୁ ଏବେ ଏଠାରେ କାର୍ଯ୍ୟ କରୁଛନ୍ତି ୨୫୮ ଜଣ ଡାକ୍ତର। ଆହୁରି ୩୦୯ଟି ପଦବୀ ଖାଲି ପଡ଼ିଛି।ଅନୁଗୋଳ ଜିଲ୍ଲାରେ ୯ଟି ସିଏଚ୍‌ସିରେ ୧୮୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୯୩ ଜଣ କାର୍ଯ୍ୟ କରୁଛନ୍ତି ଓ ବାକି ୯୬ଟି ଖାଲି ପଡ଼ିଛି। ବାଲେଶ୍ୱରର ୧୭ଟି ସିଏଚ୍‌ସିରେ ୩୫୨ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ସେଠାରେ ୧୨୦ ଜଣ କାର୍ଯ୍ୟ କରୁଥିବା ବେଳେ ୨୩୨ଟି ପଦବୀ ଖାଲି ପଡ଼ିଛି। କଟକ ଜିଲ୍ଲାରେ ୧୯ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି ଅଛି। ସେଗୁଡ଼ିକରେ ମୋଟ ୩୯୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି। ସେଥିରୁ ୧୧୩ଟିରେ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୨୮୧ଟି ଖାଲି ପଡ଼ିଛି।

ଅଧିକ ପଢନ୍ତୁ