ରାଜ୍ୟସ୍ତରକୁ ମନୋନୀତ ହେଲା ବାଲ୍ ବିଜ୍ଞାନୀ ଆଶୁତୋଷଙ୍କ ସ୍ୱତନ୍ତ୍ର ପ୍ରକଳ୍ପ

ନୟାଗଡ଼,(ଓଡିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳାରେ ରାଜ୍ୟସ୍ତରକୁ ସାତୋଟି ପ୍ରକଳ୍ପ ବିଚାରକଙ୍କ ଦ୍ୱାରା ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରେ ରହିଛି ବାମନ ଅବକାଶ ସରକାରୀ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଆଶୁତୋଷ ମହାରଣାଙ୍କ ଗବେଷଣାଧର୍ମୀ ପ୍ରକଳ୍ପ ” ହାଇଡ୍ରୋପୋନିକ୍ କୃଷି”।ଏହି ପଦ୍ଧତି ଦ୍ୱାରା ବିନା ମାଟିରେ କୃଷି କାର୍ଯ୍ୟ ହୋଇପାରିବ।ଏହା ମୁଖ୍ୟତଃ ଏକ ପୋଷଣୀୟ ଦ୍ରବଣର ସହାୟତାରେ ସମ୍ପାଦିତ ହୋଇଥାଏ। ବର୍ତ୍ତମାନ ସମୟରେ ଆଶାତୀତ ଭାବେ ବଢୁଥିବା ସହରୀକରଣ ଯୋଗୁଁ ମାଟି ନଥିବାସ୍ଥାନରେ ମଧ୍ୟ ଛୋଟଚାରା ପ୍ରସ୍ତୁତି, ଔଷଧୀୟ ବୃକ୍ଷ,ଫୁଲ-ଫଳ ଗଛ ସହ ଅନ୍ୟାନ୍ୟ ଶସ୍ୟ ଉତ୍ପାଦନ ହୋଇପାରିବାର ନିଆରା ପଦ୍ଧତି ହେଉଛି ଏହି ପ୍ରକଳ୍ପ। ଗତକାଲି ବାମନ ଅବକାଶ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଙ୍କ ଏହି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହେବାପରେ ଇଟାମାଟିର ଶିକ୍ଷାବିତ, ବୁଦ୍ଧିଜୀବୀ ତଥା ଜନସାଧାରଣ ଏହି ବାଲ୍ ବିଜ୍ଞାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଦ୍ୟାଳୟର ଏକ ସ୍ୱତନ୍ତ୍ର ସମାରୋହରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର କୃତି ଛାତ୍ରଙ୍କୁ ସମ୍ୱର୍ଦ୍ଧିତ କରିବା ସହ ଗାଇଡ୍ ଶିକ୍ଷକ ଆଦିତ୍ୟ ଦାସ ଓ ସହଯୋଗୀ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ତଥା ବିଭୂତି ଭୂଷଣ ସାହୁଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।  ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହଯୋଗରୁ ସଫଳତା ମିଳିଛି ବୋଲି ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି। ଏହି ଅବସରରେ , ପରିଚାଳନା କମିଟିର ସଭାପତି ଚନ୍ଦ୍ରମଣି ସାହୁ ତଥା ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର ସଭାପତିଶରତ ଚନ୍ଦ୍ର ସାହୁ, ସଂପାଦକ ଜଗନ୍ନାଥ ଦାସ  ଓ ଅଶୋକ କୁମାର ନାୟକ,ଡ. ରଂଗନାଥ ବେହେରା, ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କ, କିଶୋର ଚନ୍ଦ୍ର ସାହୁ ପ୍ରମୁଖ ସଦସ୍ୟମାନେ ମଧ୍ୟ ଉଭୟ ପ୍ରଧାନ ଶିକ୍ଷକ ତଥା ବାଲ୍ ବିଜ୍ଞାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଧିକ ପଢନ୍ତୁ