ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବାକୁ ସୁନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, କେନ୍ଦ୍ର କ୍ୟାବିନେଟ ୟୁନିଫଆଡ ପେନସନ ଯୋଜନାକୁ ଅନୁମୋଦିତ କରିଛନ୍ତି । ୨୦୨୫ ପହିଲାରୁ ଏହା କାର୍ୟ୍ୟକାରୀ ହେବାର ଅଛି । ଓଡ଼ିଶା ସରକାର ମଧ୍ୟ ଏହି ଯୋଜନାକୁ ସରକାରୀ କର୍ମଚାରୀଙ୍କ ପାଇଁ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁନିଶ୍ଚିତ ପେନସନ୍, ପାରିବାରିକ ପେନସନ୍, ମଚୁଦ୍ରା ସ୍ଫିତି ଆଦି ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟି ରଖି ବିଭିନ୍ନ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ୟୁନିଫାଏଡ୍ ପେନସନ୍ ସ୍କିମକୁ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ମିଳିଛି ।କ୍ୟାବିନେଟ ବୈଠକରେ ଅନ୍ତୋଦୟ ଗୃହ ଯୋଜନାକୁ ମୋହର ମରାଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଯୋଗାଇଦେବେ । ହିତାଧିକାରୀଙ୍କୁ ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ। କୌଣସି ହିତାଧିକାରୀ ୪ ମାସରେ ଘର ସାରିଲେ ୨୦ ହଜାର ବୋନସ ଦେବେ ସରକାର। ସେହିପରି ୬ ମାସରେ ସାରିଲେ ୧୦ ହଜାର ଟଙ୍କା ବୋନସ ମିଳିବ। ରାଜ୍ୟ ସରକାର ଏହି ଯୋଜନାରେ ୭୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।ସେହିପରି କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । ଏଥିପାଇଁ ନୂଆ ଯୋଜନା କରିଛନ୍ତି ସରକାର । ୧୨ରୁ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ ।
ଫୁଟବଲ, କ୍ରିକେଟ, ଆଥ୍ଲେଟ୍, ଅନ୍ୟାନ୍ୟ ଖେଳ ପାଇଁ ସୁବିଧା ରହିବ । ଆସନ୍ତା ୫ ବର୍ଷରେ ୪୧୨୪ କୋଟି ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି ।ରାଜ୍ୟରେ ଡ୍ୟାମ ଗୁଡିକର ପୁନଃବ୍ୟାସ ଏବଂ ଉନ୍ନତିକରଣ ପାଇଁ ୧୦୬୬ କୋଟି ଖର୍ଚ୍ଚ କରିବେ । ହୀରାକୁଦ ଡ୍ୟାମ ମରାମତି ଏବଂ ଉନ୍ନତିକରଣ ପାଇଁ ୩ଟି ପ୍ରକଳ୍ପ କାର୍ଯ୍ୟ ହେବ । ଆସନ୍ତା ୬ ବର୍ଷରେ ଏହି କାମକୁ ସଂପୂର୍ଣ୍ଣ କରାଯିବ ।