ବିହାରରେ ବ୍ରିଜ୍, ଟ୍ରେନ୍ ଇଞ୍ଜିନ ଚୋରି ହୋଇଥିବା ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଣି ଏକ ଅଜବ ଚୋରି ଖବର ରାଜ୍ୟର ଦରଭଙ୍ଗା ଜିଲାରୁ ଆସିଛି। ରାତାରାତି ଏକ ପୋଖରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଲୋକଙ୍କ ଅଭିଯୋଗ ସ୍ଥାନୀୟ ପୋଲିସ ଓ ମାଫିଆଙ୍କୁ ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି ହୋଇଛି । ଏନେଇ ଥାନା ଏବଂ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଅଭିଯୋଗ କଲେ କୌଣସି କର୍ଯ୍ୟାନୁଷ୍ଠାନ ହେଇନାହିଁ ବୋଲି ଲୋକେ କହିଛନ୍ତି । ସୂଚନାମୁତାବକ ,ବିହାର ଦରଭଙ୍ଗା ବିଶ୍ବବିଦ୍ୟାଳୟ ଥାନାର ଓ୍ବାର୍ଡ ନମ୍ବର-୪ରେ ଏକ ପୋଖରୀ ତିଆରି କରାଯାଇଥିଲା । ସର୍ବସାଧାରଣ ଏହାକୁ ବ୍ୟବହାର କରିଥାନ୍ତେ । କିନ୍ତୁ ଜମି ମାଫିଆଙ୍କ କବଳରୁ ବର୍ତ୍ତି ନଥିଲା ପୋଖରୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଖରୀଟି ସର୍ବସାଧାରଣଙ୍କ ପାଇଁ ଥିଲା ।
ସେଥିରେ ମାଛଚାଷ ମଧ୍ୟ କରାଯାଉଥିଲା । କିନ୍ତୁ ଏହି ଯାଗାରେ ଜମି ଦର ବଢ଼ୁଥିବାରୁ ଜମି ମାଫିଆଙ୍କ ଆଖି ଏଥିରେ ପଡ଼ିଥିଲା । ସେମାନେ ପୋଖରୀକୁ ପୋତିବା ଆରମ୍ଭ କରିଥିଲେ । ଏ ନେଇ ସେମାନେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ । ଏହା ପରେ ସରକାରୀ କର୍ମଚାରୀ ତାଙ୍କର କିଛି ସାମଗ୍ରୀ ଜବତ କରିବା ସହ ପୋଖରୀ ପୋତିବା କାମ ବନ୍ଦ କରିଥିଲେ । ଏହା ପରେ ବି ପୋଖରୀ ପୋତା କାମ ଜାରି ରଖିଥିଲେ ମାଫିଆ । ଏବେ ଅନ୍ଧାର ରାତିର ସୁଯୋଗ ନେଇ ପୋଖରୀକୁ ପୋତି ତା’ ଉପରେ ଏକ କୁଡ଼ିଆ କରିଦେଇଛନ୍ତି।