ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ବୁଧବାର ଚତୁର୍ଥୀ ତିଥିରେ ଘର ଲିପା, ପୋଛାଠାରୁ ଆରମ୍ଭ କରି ସାଜସଜ୍ଜା କରାଯାଇଛି। ଗୁରୁବାର ସକାଳୁ ଇଷ୍ଟଦେବୀଙ୍କ ନିକଟରେ ନୂଆ ଧାନ ଲାଗି ହେବା ପରେ ପରିବାରର ସମସ୍ତ ସଦସ୍ୟ ମିଶି ନୂଆଁ ଖାଇବେ। ଏହାସହିତ ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଆସନ୍ତାକାଲି ସକାଳୁ କୃଷକମାନେ କ୍ଷେତରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ପରେ ନୂଆଁ ଖାଇବେ।
ଏପଟେ, ଆରାଧ୍ୟ ଦେବୀ ମା’ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବାକୁ ଥିବାରୁ ସେଠାରେ ବି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମଲେଶ୍ୱରୀ ମନ୍ଦିରରେ ରଙ୍ଗକାମଠୁ ନେଇ ମରାମତି ଓ ଗହଣ ସଫେଇ ଜୋରସୋର୍ରେ ଚାଲିଛି । ସୁବ୍ୟବସ୍ଥିତ କରିବାକୁ ସମସ୍ତ ପୂଜା ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ଗତ ୩ ଦିନ ମଧ୍ୟରେ ମନ୍ଦିର ମରାମତି କାମ ଜୋରସୋର୍ରେ ଚାଲିଛି । ମନ୍ଦିର ଭିତରେ ଫାଟିଥିବା ଟାଇଲ୍ ଓ ମାର୍ବଲ୍ କାମ ତିଆରି ସରିଛି । ମନ୍ଦିର ଭିତର ପାର୍ଶ୍ୱ ନୂଆଁ ରଙ୍ଗ କାମ ହୋଇଛି । ମା’ଙ୍କ ଅଳଙ୍କାର ସଫେଇ କରାଯାଇଛି । ପାର୍ଶ୍ୱ ଦେବଦେବୀଙ୍କ ସିନ୍ଦୂର ଲଗା ସରିଛି । ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ନୂଆଁଖାଇର ପୂଜାର୍ଚ୍ଚନା ସକାଶେ ମଧ୍ୟ ପ୍ରସ୍ତୁତି ଚାଲିଛି ।